କରୋନା ଭାଇରସ୍‌ ଚିକିତ୍ସା: ଆସିଗଲା ଫାଇଜରର ଆଣ୍ଟି ଭାଇରାଲ ବଟିବା; ମୃତ୍ୟୁ ଆଶଙ୍କାକୁ ୮୯% ପର୍ଯ୍ୟନ୍ତ କମାଇ ପାରିବ

ଆମେରିକୀୟ ଫାର୍ମା କମ୍ପାନୀ ‘ଫାଇଜର’ ଦାବି କରିଛି କି, କୋଭିଡ୍‌-୧୯ ବିରୋଧରେ ଏହାର ପରୀକ୍ଷାମୂଳକ ଆଣ୍ଟି ଭାଇରାଲ ବଟିକା ମୃତ୍ୟୁ ଏବଂ ଗମ୍ଭୀର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କାକୁ ୮୯ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇପାରିବ। କମ୍ପାନୀ ଶୁକ୍ରବାର ଏହାର କ୍ଲିନିକାଲ ପରୀକ୍ଷଣର ପ୍ରାଥମିକ ସିଦ୍ଧାନ୍ତ ସେୟାର କରିଛି। ‘ପ୍ୟାକ୍ସଲୋଭିଡ୍‌ ବ୍ରାଣ୍ଡ’ ନାମରେ ବିକ୍ରି ହେବାକୁ ଥିବା ଏହି ବଟିକା ପରୀକ୍ଷଣ ସମୟରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ଏହା ଏକ ମିଶ୍ରଣ ଚିକିତ୍ସା। ଫାଇଜର ଏହି ବଟିକାକୁ ନିଜର ପୁରୁଣା ଆଣ୍ଟି ଭାଇରାଲ ଔଷଧ ‘ରିଟୋନେଭିର୍‌’ର ମିଶ୍ରଣରୁ ହିଁ ପ୍ରସ୍ତୁତ କରିଛି। ମିଶ୍ରଣ ଚିକିତ୍ସା ଅଧୀନରେ ପ୍ୟାକ୍ସଲୋଭିଡ୍‌ ବ୍ରାଣ୍ଡ ଔଷଧକୁ ଦିନକୁ ଦୁଇଥର ସେବନ କରିବାକୁ ପଡ଼ିବ।

ତେବେ ନିଜର ଆଣ୍ଟି ଭାଇରାଲ ଔଷଧର ଫଳାଫଳ କ୍ଲିନିକାଲ ପରୀକ୍ଷଣରେ ପ୍ରକାଶ ପାଇବା ପରେ ଫାର୍ମା କମ୍ପାନୀ ଏହାର ଅଧ୍ୟୟନକୁ ବନ୍ଦ କରି ଦେଇଥିଲା। ବିଶେଷଜ୍ଞ ଟିମ୍‌ ଏତେ ନିଶ୍ଚିତ ଥିଲେ ଯେ ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଥାଉ କି, ନିକଟରେ ଏହାର ପ୍ରତିନ୍ଦ୍ୱନ୍ଦୀ କମ୍ପାନୀ ‘ମର୍କ’ ଦାବି କରିଥିଲା ଯେ ସେ କୋଡିଭ୍‌ ନିରୋଧୀ ବଟିକା ପ୍ରସ୍ତୁତ କରି ନେଇଛି, ଯାହା ପରେ ଫାଇଜରର ଏହି ଦାବି ସାମ୍ନାକୁ ଆସିଛି। ଏପରି କି, ବ୍ରିଟେନ ମର୍କର ବଟିକାକୁ ଜରୁରିକାଳୀନ ବ୍ୟବହାର ଲାଗି ମଧ୍ୟ ମଞ୍ଜୁରୀ ଦେଇ ଦେଇଛି। ମର୍କର ବଟିକା ଦୁନିଆର ପ୍ରଥମ କରୋନା ନିରୋଧୀ ବଟିକା ବୋଲି କୁହାଯାଉଛି।

ଆମେରିକା ସମେତ ବିଶ୍ୱରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ଇଞ୍ଜେକ୍ସନ ବ୍ୟବହୃତ ହେଉଛି। ୨ ଦିନ ତଳେ ମର୍କ କମ୍ପାନୀ କରୋନା ନିରୋଧୀ ବଟିକା ପ୍ରସ୍ତୁତ କରିଥିବା ନେଇ ଦାବି କରିଥିଲା। ଏବେ ଫାଇଜର ମର୍କର ବଟିକା ‘ମୋଲନୁପିରଭିର’ ତୁଳନାରେ ନିଜର ବଟିକା ଅଧିକ ପ୍ରଭାବଶାଳୀ ବୋଲି ଦାବି କରିଛି। ଫାଇଜର କହିଛି ଯେ ଖୁବ୍‌ଶୀଘ୍ର ଏହା ନିଜ ବଟିକା ପାଇଁ କରାଯାଇଥିବା ପରୀକ୍ଷଣର ସମ୍ପୂର୍ଣ୍ଣ ଫଳାଫଳକୁ ସାମ୍ନାକୁ ଆଣିବ। ଫାଇଜରର ଦାବି ପରେ ଆମେରିକୀୟ ସେୟାର ବଜାରରେ ଏହାର ସେୟାରର ଦାମ୍‌ ୧୩ ପ୍ରତିଶତ ବଢ଼ି ୪୯.୪୭ ଡଲାର ହୋଇ ଯାଇଛି, ଯେତେବେଳେ କି, ମର୍କର ସେୟାର ୬ ପ୍ରତିଶତ ହ୍ରାସ ପାଇ ୮୪.୬୯ ଡଲାରକୁ ଖସି ଆସିଛି। ଯଦିଓ କରୋନା ନିରୋଧୀ ବଟିକାକୁ ନେଇ ନା ଫାଇଜର ନା ମର୍କ, କୌଣସି ବି କମ୍ପାନୀ ନିଜର ପରୀକ୍ଷଣର ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରେଇ ନାହାନ୍ତି। ଫାଇଜର କହିଛି ଯେ ସେ ନିଜର ମଧ୍ୟବର୍ତ୍ତୀ ପରୀକ୍ଷଣର ଡାଟାକୁ ଖୁବ୍‌ଶୀଘ୍ର ଆଣିବାକୁ ଯୋଜନା କରୁଛି। ଏହାର ଜରୁରିକାଳୀନ ବ୍ୟବହାରର ଅନୁମତି ପାଇଁ ଅକ୍ଟୋବରରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନକୁ ଏକ ଆବେଦନ ପଠାଯାଇଛି।

ବ୍ରିଟେନ ଦେଲା ମର୍କ ବଟିକାକୁ ଅନୁମତି

ଗୁରୁବାର ବ୍ରିଟେନର ସ୍ୱାସ୍ଥ୍ୟ ନିୟାମକ ମର୍କ ଏବଂ ରିଜବ୍ୟାକ ବାୟୋଥେରାପିଟିକ୍ସ ଦ୍ୱାରା ପ୍ରସ୍ତୁତ କରୋନା ନିରୋଧୀ ଆଣ୍ଟି ଭାଇରାଲ ବଟିକା ବ୍ୟବହାରକୁ ଅନୁମତି ଦେଇଛି। ଏହା ଦୁନିଆର ପ୍ରଥମ କରୋନା ନିରୋଧୀ ବଟିକା, ଯାହାର ଉପଯୋଗକୁ ଅନୁମତି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.