ପୁଣି ଟଳିଲା ସବ୍‌ନମ୍‌ଙ୍କ ଫାଶୀ, ରାଜ୍ୟପାଳଙ୍କ ନିକଟରେ କ୍ଷମା ପିଟିସନ୍‌ ଯୋଗୁ ଅଟକିଲା ଶୁଣାଣି

ପୁଣିଥରେ ଟଳିଲା ଅମରୋହା ବାବଦଖେଡି ହତ୍ୟାକାଣ୍ଡର ଦୋଷୀ ସବ୍‌ନମ୍‌ଙ୍କ ଫାଶୀ। ସବ୍‌ନମ୍‌ଙ୍କୁ କେବେ ଫାଶୀ ହେବ ଆଜି ତା’ର ନିଷ୍ପତ୍ତି ହୋଇପାରିନାହିଁ। ସବ୍‌ନମ୍‌ଙ୍କୁ ଫାଶୀ ଦେବାକୁ ମଥୁରା ଜେଲରେ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇନଥିବାରୁ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ସବ୍‌ନମ୍‌ଙ୍କୁ ଫାଶୀ ଦେବାକୁ ସରକାରୀ ଓକିଲ ମଥୁରାର ଜିଲ୍ଲା ଜଜ୍‌ଙ୍କ ନିକଟରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ଦାବି କରିଥିଲେ। ମାତ୍ର ରାଜଭବନରେ ସବନମ୍‌ଙ୍କ କ୍ଷମା ପିଟିସନ୍‌ ଦାଖଲ ହୋଇଥିବାରୁ ଜଜ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କରି ଦେଇଛନ୍ତି।

ସବନମ୍‌ଙ୍କ ଫାଶୀକୁ ନେଇ ମଙ୍ଗଳବାର ଜିଲ୍ଲା ଜଜ୍‌ଙ୍କ ଅଦାଳତରେ ଶୁଣାଣି ହୋଇଛି। ପୂର୍ବରୁ କୁହାଯାଉଥିଲା ଯେ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ସବନମ୍‌ଙ୍କ ରିପୋର୍ଟ ଦାଖଲ କରାଯିବ ଓ ଯଦି ଏହି ରିପୋର୍ଟରେ କୌଣସି କ୍ଷମା ପିଟିସନ୍‌ ନଥିବ ତେବେ ସବନମ୍‌କୁ ନିର୍ଦ୍ଧାରିତ ତାରିଖରେ ହିଁ ଫାଶୀ ଦିଆଯିବ। ମାତ୍ର ଏବେ ଫାଶୀ ଶୁଣାଣି ଅଟକିଛି। ଜେଲରେ ବନ୍ଦୀ ଥିବା ସବ୍‌ନମ୍‌ଙ୍କୁ କେବେ ଫାଶୀ ହେବ ତାହା ଏବେ ଯାଏଁ ସ୍ଥିର ହୋଇପାରିନାହିଁ।

ଅନ୍ୟପଟେ ଜେଲରୁ ସବ୍‌ନମ୍‌ ଏବେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ରବିବାର ସବନମ୍‌ଙ୍କ ପୁଅ ତାଜ୍‌ ତାଙ୍କୁ ସାକ୍ଷାତ କରିଥିଲେ। ସବ୍‌ନମ୍‌ ପୁଅକୁ ଭଲ ପଢ଼ିବାକୁ କହିଥିଲେ। ପୁଅ ମଧ୍ୟ ମା’କୁ ପ୍ରଥମ ଥର ପାଇଁ ପଚାରିଥିଲା, କ’ଣ ସତରେ ତୁମେ ଏହି ହତ୍ୟା କରିଛ? ମାତ୍ର ସବ୍‌ନମ୍‌ ଏହାର କି ଜବାବ ଦେଇଥିଲେ ତାହା ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.