ଚୀନ୍‌ରେ କରୋନା ସ୍ଥିତି ଅସମ୍ଭାଳ : ଶବଦାହ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଧାଡ଼ି, ଅପେକ୍ଷା କରିବାକୁ ପଡୁଛି ୩ ଦିନ

ନୂଆଦିଲ୍ଲୀ : କରୋନାର ଶେଷ ଠିକଣା ଚୀନ୍‌ । ଯେଉଁଠି ଉତ୍ପନ୍ନ ହୋଇଥିଲା ଶେଷରେ ସେଇଠି ଉତ୍ପାତ କରୁଛି ମହାମାରୀ । ଜିରେ କୋଭିଡ୍‌ ନୀତିରୁ ହଟିବା ପରେ ଚୀନ୍‌ରେ ସ୍ଥିତି ଅସମ୍ଭାଳ । ବେଜିଂରେ ଆରମ୍ଭ ହୋଇଛି ମଣିଷ ମଡ଼କ । ଶବଦାହ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଧାଡ଼ି । ୩ ଦିନ ଅପେକ୍ଷା କରିବାକୁ ହେଉଛି। କିନ୍ତୁ ଇଏ ଆରମ୍ଭ ମାତ୍ର । ଆଗକୁ ଫାଶ ବସାଇ ମଣିଷ ମାରିବ ଭାଇରସ୍‌ । ୨୦୨୩ରେ ଚୀନରୁ ୧୦ ଲକ୍ଷ ଜୀବନ ନେବ ବୋଲି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଏଥିରୁ ଜଣାପଡ଼ୁଛି ଚୀନ୍‌ରେ କେତେ ଜୀବନ ନେଉଛି ମହାମାରୀ । ବେଜିଂରେ ସ୍ଥିତି ଅତ୍ୟନ୍ତ ଜଟିଳ । ପ୍ରବଳ ଥଣ୍ଡା ଯୋଗୁ ବେଜିଂରେ କରୋନା ଅଣାୟତ୍ତ ହୋଇପଡିଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କିନ୍ତୁ ମୃତ୍ୟୁ ଲୁଚାଉଛି ଡ୍ରାଗନ୍‌ । ଦୁଇ ସପ୍ତାହ ହେଲା ଚୀନ୍‌ ସରକାରୀ ଖାତାରେ ଚଢ଼ିନି କୋଭିଡ୍‌ ମୃତ୍ୟୁ । ଶେଷ ମୃତ୍ୟୁ ରିପୋର୍ଟ ଡିସେମ୍ବର ୪ରେ ହୋଇଥିଲା।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଂକା, ଆହୁରି ଭୟାନକ ହେବ ସ୍ଥିତି । ହଂକଂ ବିଶ୍ୱ ବିଦ୍ୟାଳୟ ରିପୋର୍ଟ ଅନୁଯାୟୀ, ଚୀନରେ ସଂକ୍ରମଣ ବଢିବା ସହ ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେବାକୁ ବେଶୀ ସମୟ ଲାଗିବ ନାହିଁ । ସ୍ଥିତି ଏଭଳି ହେବ ଯେ, ପ୍ରତି ହଜାରେ ଜଣରେ ପ୍ରାୟ ୬୪୮ ଜଣ ସଂକ୍ରମିତ ହେବେ । ୧୦ରୁ ୧୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୨୦୨୩ରେ ଚୀନ୍‌ରେ କରୋନାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ନେଇ ଆକଳନ କରିଛି ଆମେରିକାର ଆଇଏଚଏମଇ ସଂସ୍ଥା । ଚୀନ୍‌ ଜନସଂଖ୍ୟାର ଏକ ତୃତୀୟାଂଶ କୋଭିଡ୍‌ ସଂକ୍ରମିତ ହେବେ । ଆସନ୍ତା ଏପ୍ରିଲ ୧ ସୁଦ୍ଧା ପ୍ରାୟ ୩ ଲକ୍ଷ ୨୨ ହଜାର ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବ ବୋଲି ଆଇଏଚଏମଇ ନିର୍ଦ୍ଦେଶକ ଭବିଷ୍ୟବାଣୀ କରିଛନ୍ତି । ତେବେ ଚୀନରେ ପ୍ରଥମରୁ ଏପର୍ଯ୍ୟନ୍ତ କରୋନା ମୃତ୍ୟୁ ୫ହଜାର ୨୩୫ ରହିଛି।

ବିଶ୍ୱରେ ମହାମଚାରୀ ଆତଙ୍କ ସୃଷ୍ଟି କଲାବେଳେ ବେଧଡ଼କ ଥିଲା ଚୀନ୍‌ । ଜିରୋ କୋଭିଡ୍‌ ନୀତି ପାଇଁ ନିୟନ୍ତ୍ରଣରେ ଥିଲା ସଂକ୍ରମଣ। ମାସ୍‌ ଟେଷ୍ଟିଂ ଓ କଠୋର କଟକଣା କରୋନାକୁ ବନ୍ଦୀ କରି ରଖିଥିଲା । ଏବେ ସାରା ବିଶ୍ୱ ମୁକ୍ତ ବିଚରଣ କଲା ପରେ ଚୀନର ଜନତା କଠୋର କୋଭିଡ୍‌ କଟକଣାକୁ ତୀବ୍ର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେ । ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ବିରୋଧରେ ତେଜିଲା ସ୍ୱର । ଫଳରେ ବାଧ୍ୟ ହୋଇ ଜିରୋ କୋଭିଡ୍‌ ନୀତିରୁ ଓହରିଲା ଜିନପିଙ୍ଗ ପ୍ରଶାସନ । ସପ୍ତାହେ ନପୂରୁଣୁ ସ୍ଥିତି ଅସମ୍ଭାଳ ହେଲା । ଭୟଙ୍କର ଭାବେ ବ୍ୟାପିଲା ଭାଇରସ୍‌ । ପୂରା ଦେଶକୁ ମାଡ଼ି ଚାଲିଛି ଭାଇରସ୍‌ । ଲୋକେ କଟକଣାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ । କିନ୍ତୁ ୮ ଦିନ ଭିତରେ ସ୍ଥିତି ଓଲଟିଲା। ରାସ୍ତା ଏବେ ଛାଁକୁ ଛାଁ ଶୂନଶାନ । ଭୟରେ ଲୋକେ ବାହାରକୁ ବାହାରୁ ନାହାନ୍ତି। ସାଂଘାଇରେ ବି ସ୍ଥିତି ସାଂଘାତିକ । ସ୍କୁଲରେ ଆରମ୍ଭ ହେବ ଅନ୍‌ ଲାଇନ୍‌ କ୍ଲାସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.