ପୋଷା କୁକୁରକୁ କରୋନା, ଡାକ୍ତର ଜାଣିପାରୁନାହାନ୍ତି ସଂକ୍ରମଣ ଆସିଲା କୁଆଡ଼ୁ

ବ୍ରିଟେନ୍‌ରେ ପୁଣିଥରେ ଡର ବଢ଼ାଇଲାଣି କରୋନା। ଲୋକଙ୍କ ପରେ ଏବେ ଏକ ପୋଷା କୁକୁରର ଶରୀରରେ ସଂକ୍ରମଣ ଚିହ୍ନଟ ହୋଇଛି। ୟୁକେର ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଦୁନିଆର ଭିନ୍ନ ଭିନ୍ନ ଦେଶରେ ଅନ୍ୟ ଜୀବଜନ୍ତୁଙ୍କ ଠାରେ ମଧ୍ୟ କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା।

ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୩ରେ ବେୟବ୍ରିଜ୍‌ରେ ପଶୁମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହାର ରିପୋର୍ଟରେ ପୋଷା କୁକୁରର କରୋନା ପଜିଟିଭ୍‌ ବାହାରିଛି। ପୋଷା କୁକୁରଟି ଏବେ ଘରେ ଅଛି ଓ ଧୀରେ ଧୀରେ ସୁସ୍ଥ ହେଉଥିବା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

ରିପୋର୍ଟ ମୁତାବକ, କୁକୁରକୁ କରୋନା ହେବା ପୂର୍ବରୁ ତା’ ମାଲିକ କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ମାଲିକ ଠାରୁ ହିଁ କୁକୁରକୁ କରୋନା ହୋଇଛି ବୋଲି କୌଣସି ପ୍ରମାଣ ନାହିଁ। ଅନ୍ୟ ଜନ୍ତୁ ଠାରୁ କୁକୁର ସଂକ୍ରମିତ ହୋଇଥାଇପାରେ ବୋଲି ମଧ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ଏ ନେଇ ମୁଖ୍ୟ ପଶୁ ଚିକିତ୍ସାଧିକାରୀ କ୍ରିଷ୍ଟିନ୍‌ ମିଡିଲମିସ୍‌ କହିଛନ୍ତି, କୁକୁର ସଂକ୍ରମିତ ହେବା ଏକ ଦୁର୍ଲ୍ଲଭ ମାମଲା। ଏଭଳି କେସ୍‌ରେ ହାଲ୍‌କା ଲକ୍ଷଣ ଦେଖିବାକୁ ମିଳେ ଓ କିଛି ଦିନ ଭିତରେ ହିଁ କୁକୁର ସୁସ୍ଥ ହୋଇଯାଏ। ସେ କହିଛନ୍ତି, କୁକୁର ତା’ ମାଲିକ ଠାରୁ ସଂକ୍ରମିତ ହୋଇଛି ବୋଲି କୌଣସି ପ୍ରମାଣ ନାହିଁ। ସେ କେଉଁଠାରୁ ସଂକ୍ରମିତ ହୋଇଛି ଆମେ ସେ ନେଇ ଅନୁଧ୍ୟାନ କରୁଛୁ। ସଂକ୍ରମଣର ପ୍ରକୃତ କାରଣ ଜଣାଗଲେ ଆମେ ଆଗକୁ ଆହୁରି ଅଧିକ ସଚେତନ ହୋଇପାରିବୁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.