ଘରଠୁ ରାସ୍ତା ସବୁଠି ଫାଟ, ନ ସୁଧୁରିଲେ ଭୂଗର୍ଭରେ ଲୀନ ହୋଇଯିବ ଯୋଶୀମଠ

କେନ୍ୟୁଜ୍‌(ବ୍ୟୁରୋ): ଦବୁଛି ଯୋଶୀମଠ । ଘରଠୁ ରାସ୍ତା, ମାଟିଠୁ ସିମେଣ୍ଟ କାନ୍ଥ ସବୁଠି ଦେଖାଦେଇଛି ଫାଟ । ଧସୁଛି ମାଟି, ଏହାସହ ତଳକୁ ତଳ ଧସୁଛି ବଡ଼ ବଡ଼ ଅଟ୍ଟାଳିକା । ୬୭୮ ବିଲିଂରେ ହୋଇଛି ଫାଟ । ଭୟରେ ରହିଛନ୍ତି ଯୋଶୀମଠ ଜନତା । ଏପରିକି ଅନେକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ପଳେଇ ଯିବାର ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ୮୧ ପରିବାରକୁ କରାଯାଇଛି ସ୍ଥାନାନ୍ତର । ମୁତୟନ ହୋଇଛନ୍ତି ଗୋଟିଏ ଏନଡିଆରଏଫ ସହ ୪ ଏସଡିଆରଏଫ ଟିମ୍‌ । ଏହାରି ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଶନିବାର ଯୋଶୀମଠ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଏହାସହ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଭେଟିବା ସହ ତାଙ୍କ ସୁରକ୍ଷା ଓ ଥଇଥାନର ପ୍ରତିଶୃତି ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ କୁହାଯାଥିଲା କି କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ଓ ବିଶେଷଜ୍ଞ ଦଳ ଉତ୍ତରାଖଣ୍ଡ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଓ ଏସଡିଆରଏଫଙ୍କୁ ମୁତୟନ କରାଯାଇଛି । ବୈଠକ ପରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ କଥା ହୋଇଛନ୍ତି । ତେବେ କଣ ରହିଛି ମାଟି ଦବିବାର କାରଣ ? କାହିଁକି ଦବୁଛି ଯୋଶୀମଠ ?

 ଭୂସ୍ଖଳନ କଣ ?
ଭୂମି ସହ ଭୂମିର ଘର୍ଷଣ ହେଲେ, ଭୂମିତଳେ ପାଙ୍କାସ୍ଥାନ ସୃଷ୍ଟିହେଲେ ଭୂସ୍ଖଳନ ହୁଏ । ଏପରି ହେବାର କାରଣ ହେଲା ଭୂଅଂଶରୁ ଅଧିକ ମାତ୍ରାରେ ଜଳ ନିଷ୍କାସନ ଓ ଖଣିଜ ଉତ୍ତୋଳନ କରିବା । ଏହାସହ ଏହା ଅନେକ ପ୍ରାକୃତିକ କାରଣରୁ ହୋଇଥାଏ । ଭୂମିକମ୍ପ ଯୋଗୁଁ ମଧ୍ୟ ଏପରି ହୋଇପାରେ । ଏଠାରେ କିନ୍ତୁ ଆଉ କିଛି କାରଣକୁ ଦାୟୀ କରାଯାଉଛି ।

କାହିଁକି ଦବୁଛି ଯୋଶୀମଠ ?
ଅଗଷ୍ଟ ୨୦୨୨ରେ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଅଧ୍ୟୟନ କରାଯାଇଥିଲା । ଏହାର ତଥ୍ୟ ଅନୁଯାୟୀ ଭୂଗର୍ଭୀୟ କାରକ ଯୋଶୀମଠ ଦବିବାରେ ମୁଖ୍ୟ କାରଣ ସାଜିଛି । ଭାରି ବର୍ଷା ଓ ବାରମ୍ବାର ପ୍ରଳୟଙ୍କାରୀ ବନ୍ୟା ଆସିବା ଯୋଗୁଁ ଯୋଶୀମଠର ଭୂମି ଦୁର୍ବଳ ହୋଇ ପଡ଼ିଛି । ଜୁନ ୨୦୧୩ ଓ ଫେବୃଆରୀ ୨୦୨୧ ବନ୍ୟା ପରେ ଏହି ସମସ୍ୟା ଆହୁରି ବଢିଯାଇଛି ।

ସଠିକ ଯୋଜନା ନକରି ଘରସବୁ ନର୍ମାଣ କରୁଥିବାରୁ ଏହି ସମସ୍ୟା ବଢୁଥିବା ରିପୋର୍ଟ କହୁଛି । ବିଷ୍ଣୁଗଡ଼ ଜଳ ବିଦ୍ୟୁତ ପରିଯୋଜନା ସହ ଯୋଶୀମଠ ଓ ତପୋବନ ଆଖପାଖ ଅଞ୍ଚଳରେ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବା । ହେଲଙ୍ଗ ବାଇପାସ ନିର୍ମାଣ ପାଇଁ ବିଆରଓ ଦ୍ୱାରା ଭାରୀ ଯନ୍ତ୍ରାଂଶର ବ୍ୟବହାର ଭୁସ୍ଖଳନର କାରଣ ସବୁ ସାଜିଛି । ଏବେ ଯୋଶୀମଠ ଆଖପାଖରେ ଚାଲିଥିବା ନିର୍ମାଣ ଉପରେ ରୋକ ଲଗାଯାଇଛି । ଏଥିରେ କିନ୍ତୁ ବହୁ ଡ଼େରି କରିଦେଇଛି ପ୍ରଶାସନ ।

୧୯୭୮ରେ ଗରଓ୍ଵାଲ କମିଶନ ଏକ ରିପୋର୍ଟ ଦେଇଥିଲେ । ଏଥିରେ କୁହାଯାଇଥିଲା କି ସହର ତଥା ନୀତି ଓ ମାନା ଉପତ୍ୟାକାରେ କୌଣସି ବଡ଼ ନିର୍ମାଣ କରାଯିବ ନାହିଁ । କାରଣ ଏହି ସ୍ଥାନ ଗ୍ଲେସିୟର ଦ୍ୱାରା ଆସିଥିବା ମାଟି ଅତଡ଼ାର ଚଟାଣ ଉପରେ ରହିଛି । ଅଗଷ୍ଟ ଗାନସରଙ୍କ ପୁସ୍ତକ ସେଣ୍ଟ୍ରାଲ ହିମାଳୟ ଅନୁଯାୟୀ ଯୋଶୀମଠ ଭୁସ୍ଖଳନର ମାଟିରେ ତିଆରି ହୋଇଛି । ୧୯୭୧ରେ କିଛି ଘରରେ ଫାଟ ଦେଖା ଯାଇଥିଲା । ଏହାକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ରିପୋର୍ଟରେ କିଛି ପରମର୍ଶ ମଧ୍ୟ ଦିଆଯାଇଥିଲା । ରିପୋର୍ଟରେ କୁହାଯାଇଥିଲା କି ଅଧିକରୁ ଅଧିକ ଗଛ ଲଗାଇବା । ସହର ବସିଥିବା ଚଟାଣକୁ ସଂରକ୍ଷଣ କରିବା । ମୃତ୍ତିକା କ୍ଷୟ ହେବାକୁ ନଦେବା ଏପରି କିଛି । ଯାହାକୁ ଆଜିଯାଏ କାର୍ଯ୍ୟକାରୀ କରାଯାଇ ପାରିନାହିଁ । ଯାହା ଆଜିର ଏହି ସମସ୍ୟାର ମୁଖ୍ୟ କାରଣ ସାଜିଛି ।

ଯୋଶୀମଠ ଦବିବାର ଆଉ କିଛି କାରଣ ହେଲା, ଧିରେ ଧିରେ ଯୋଶୀମଠକୁ ଆଗନ୍ତୁଙ୍କ ସଂଖ୍ୟା ବଢିଥିଲା । ଓ ଯୋଶୀମଠର ଲୋକଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିଲା । ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଅନିୟନ୍ତ୍ରିତ ଭାବେ ନିର୍ମାଣ ବଢିଥିଲା । ସହର ବଢିବା ସହ ଭିତ୍ତିଭୂମି ବିକଶ ନା ରେ ଭବିଷ୍ୟତର ବିପଦ ଆଡ଼କୁ ଗତି କରୁଥିଲା ଯୋଶୀମଠ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.