ବିମାନର ଟଏଲେଟ୍‌ରେ ପଶି ବିଡି ପିଉଥିଲେ CRPF ଯବାନ, ଧୂଆଁ ବାହାରିବାରୁ ଯାତ୍ରୀ ଆତଙ୍କିତ

ବିମାନର ଟଏଲେଟ୍‌ ଭିତରେ ପଶି ବିଡି ପିଉଥିବା ଜଣେ ସିଆର୍‌ପିଏଫ୍‌ ଯବାନ ଧରାପଡ଼ିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ବିମାନ କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା।

ବିମାନର ଟଏଲେଟ୍‌ ଭିତରେ ପଶି ବିଡି ପିଉଥିବା ଜଣେ ସିଆର୍‌ପିଏଫ୍‌ ଯବାନ ଧରାପଡ଼ିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ବିମାନ କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ପରେ ଯବାନ ଜଣକ ଟଏଲେଟ୍‌ରେ ପଶି ବିଡି ପିଇବା ଆରମ୍ଭ କରିଥିଲେ।

ଯେତେବେଳେ ଟଏଲେଟ୍‌ ଭିତରୁ ଧୂଆଁ ବାହାରିଥିଲା ଏବଂ ଦୁର୍ଗନ୍ଧ ସୃଷ୍ଟି ହୋଇଥିଲା, ସେତେବେଳେ କ୍ରୁ ମେମ୍ବର୍‌ମାନେ ଭୟଭୀତ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ଟଏଲେଟ୍‌ର ଡୋର୍‌କୁ ପିଟି ପିଟି ଖୋଲାଯାଇଥିଲା। ଏହି ସମୟରେ ଟଏଲେଟ୍‌ ଭିତରେ ଥିବା ସିଆର୍‌ପିଏଫ୍‌ ଯବାନଙ୍କୁ କାବୁ କରି ନିଆଯାଇଥିଲା।

ବିମାନର ନିୟମ ଉଲ୍ଲଂଘନ କରିବା ଏବଂ ଯାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇବା ଅଭିଯୋଗରେ ଯବାନଙ୍କୁ ଗିରଫ କରାଯାଇଛି। ଗତ ରବିବାର ରାତି ପ୍ରାୟ ୯ଟାରେ ଏହି ଘଟଣା ଘଟିଥିଲା। ତେବେ ଯବାନଙ୍କ ନିକଟରୁ କ୍ରୁ ମେମ୍ବରମାନେ କେବଳ ଦିଆସିଲି ଜବତ କରିଥିଲେ। କାରଣ, ଯବାନ ଜଣକ ସେତେବେଳକୁ ବିଡି ପିଇସାରି ଟଏଲେଟ୍‌ରେ ଫ୍ଲସ୍‌ କରିସାରିଥିଲେ।

ଏହାପରେ ବିମାନ ବେଙ୍ଗାଲୁରୁରେ ଲ୍ୟାଣ୍ଡ କରିବା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏ ନେଇ ମାମଲା ରୁଜୁ କରିଛି। ପୋଲିସ ମୁତାବକ, ଅଭିଯୁକ୍ତ ଯବାନଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ, ଝାଡ଼ଖଣ୍ଡରେ ମୁତୟନ ଥିବା ହେଡ୍‌ କନଷ୍ଟେବଳ କରୁଣାକରନ। ଯବାନ ଜଣକ ମାନସିକ ରୂପେ ଅସୁସ୍ଥ। ଚିକିତ୍ସା ପାଇଁ ଗତ ରବିବାର ସେ ବେଙ୍ଗାଲୁରୁ ଆସୁଥିଲେ।

ସୂଚନାଥାଉ କି, ଇଣ୍ଟର ଗ୍ଲୋବାଲ ଆଭିଏସନ ଲିମିଟେଡ କମ୍ପାନୀର ଡ୍ୟୁଟି ମ୍ୟାନେଜର ପୁନିତ୍‌ ବିଏମଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.