ଗଭୀର ସମୁଦ୍ରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ବିପର୍ଯୟ, ଜୁନ ୧୨ରୁ ରଚିବ ତାଣ୍ଡବ

ବଳ ଗୋଟାଉଛି ଭୀଷଣ ବାତ୍ୟା ବିପର୍ଯୟ । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତରଦିଗ ଆଡ଼କୁ ଗତି କରୁଛି । ୨୪ ଘଣ୍ଟା ଭିତରେ ଏହା ଆହୁରି ଶକ୍ତିଶାଳୀ ହୋଇ ଉତ୍ତର – ଉତ୍ତରପୂର୍ବ ଦିଗରେ ଆଗକୁ ବଢିବ । ସ୍ୱରାଷ୍ଟ୍ର ଉପକୂଳ ଅଞ୍ଚଳ ସହ କଚ୍ଛ ଉପକୂଳରେ ପବନର ବେଗ ୬୫ରୁ ୭୦ କିଲୋମିଟର ରହିବ ।

କେନ୍ୟୁଜ୍(ବ୍ୟୁରୋ): ଗଭୀର ସମୁଦ୍ରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ବିପର୍ଯୟ । ଏବେ ଏହା ପୂର୍ବ-କେନ୍ଦ୍ର ଆରବ ସାଗରରେ ରହିଛି । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତରଦିଗ ଆଡ଼କୁ ଗତି କରୁଛି । ଆଜି ସକାଳୁ ଏହି ଭୀଷଣ ବାତ୍ୟା କେନ୍ଦ୍ରୀଭୂତ ହୋଇଛି । ଗୋଆ ଠାରୁ ପଶ୍ଚିମ ଦିଗରେ ୭୦୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ୱାଇର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୬୩୦ କିଲୋମିଟର ଦୂରରେ ରହିଛି । ସେହିପରି ପୋରବନ୍ଦରର ଦକ୍ଷିଣ ପୂର୍ବ ଦିଗରେ ୬୨୦ କିଲୋମିଟର ଦୂରରେ ରହିଛି । ଏହାସହ କରାଚିର ଦକ୍ଷିଣ ଦିଗରେ ୯୩୦ କିଲୋମିଟର ଦୂରରେ ରହିଛି ଏହି ଭୀଷଣ ବାତ୍ୟା ବିପର୍ଯୟ ।

ଆଗାମୀ ୨୪ ଘଣ୍ଟା ଭିତରେ ଏହା ଆହୁରି ଶକ୍ତିଶାଳୀ ହୋଇ ଉତ୍ତର – ଉତ୍ତରପୂର୍ବ ଦିଗରେ ଆଗକୁ ବଢିବ । ଏହାପରେ ଏହାର ଦିଗରେ ସାମାନ୍ୟ ପରିବର୍ତ୍ତନ ହୋଇ ଏହା ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢିବ । ଆଗାମୀ ୩ ଦିନ ଭିତରେ ବାତ୍ୟାର ରୂପରେ ଏପରି ପରିବର୍ତ୍ତନ ହେବବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ ସ୍ୱରାଷ୍ଟ୍ର ଉପକୂଳ ଅଞ୍ଚଳ ସହ କଚ୍ଛ ଉପକୂଳରେ ଆଜି ୫୫ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ଧିରେ ଧିରେ ବଢିବା ସହ ଆସନ୍ତା କାଲି ଏହା ୬୦ କିଲୋମିଟର ବେଗରେ ବହିବ । ୧୨ରୁ ୧୫ ତାରିଖ ଭିତରେ ପବନର ବେଗ ୬୫ରୁ ୭୦ କିଲୋମିଟର ରହିବ । ଅର୍ଥାତ ଜୁନ ୧୨ରୁ ୧୫ ତାରିଖ ଭିତରେ ବାତ୍ୟା ବିପର୍ଯୟ ତାଣ୍ଡବ ରଚିବ । ଆଜି ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆସନ୍ତାକାଲିଠୁ ୧୫ ତାରିଖ ଯାଏ ସମୁଦ୍ର ଆହୁରି ଅଶାନ୍ତ ହୋଇପଡ଼ିବ ବୋଲି ଆଇଏମଡି ଆକଳନ କରିଛି ।

ଏହାର ପ୍ରଭାବରେ ସ୍ୱରାଷ୍ଟ୍ର ଉପକୂଳ ତଥା ଦକ୍ଷିଣ ଗୁଜରାଟରେ ଭୀଷଣ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ସରକାରୀ ଅଧିକାରୀଙ୍କୁ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏସଡିଆରଏଫ ଟିମକୁ ପ୍ରସ୍ତୁତ କରି ରଖାଯାଇଛି । ଏହାସହ ଉପକୂଳ ଗାଁ ମାନଙ୍କୁ ସତର୍କ କରାଇ ଦିଆଯାଇଛି ।

ପୂର୍ବକେନ୍ଦ୍ରୀୟ ଓ ପଶ୍ଚିମକେନ୍ଦ୍ରୀୟ ଆରବ ସାଗରର ଆଖପାଖ ଅଞ୍ଚଳରେ ଜୁନ ୧୫ ଯାଏଁ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି। ସେହିପରି ଏହି କଟଣା ଉତ୍ତର ଆରବ ସାଗରେ ମଧ୍ୟ ଜାରି ହୋଇଛି । ଏହାସହ ସମୁଦ୍ରକୁ ନଯିବାକୁ କୁହାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ଶୀଘ୍ର ଉକପୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ତିଆରି ହୋଇଛି । ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ଉପକୂଳରେ ଏହାର ପ୍ରଭାବ ରହିବ । ଏଥିଯୋଗୁଁ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପକୂଳରେ ୬୦ କିଲୋମିଟର ବେଗରେ ପବନ ବହିବ । ଏହାସହ ସମୁଦ୍ର ଅଶାନ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.