ବାଂଲାଦେଶରେ ସି-ତ୍ରାଙ୍ଗ୍‌ ତାଣ୍ଡବରେ ଗଲାଣି ୧୮ ଜଣଙ୍କ ଜୀବନ,୨ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

ଢାକା : ବାଂଲାଦେଶରେ ତାଣ୍ଡବ କଲା ସି-ତ୍ରାଙ୍ଗ୍‌, ୧୮ ଜଣଙ୍କ ଜୀବନ ନେଲାଣି ବାତ୍ୟା । ବ୍ୟାପକ କ୍ଷୟକ୍ଷତି କରିଛି । ୧୦ ହଜାରରୁ ଅଧିକ ଘର ଭାଙ୍ଗି ଦେଇଛି। ଗଛ ଉପୁଡ଼ିଛି । ବିଜୁଳି ଖୁଣ୍ଟ ଶୋଇଛି। ୬ ହଜାର ହେକ୍ଟର ଚାଷ ଜମି ଆଉ ହଜାରେ ଚିଙ୍ଗୁଡ଼ି ଘେରି ଉଜାଡ଼ି ଦେଇଛି। ସ୍ଥାନାନ୍ତର ହୋଇଛନ୍ତି ୨ ଲକ୍ଷରୁ ଅଧିକ ଲୋକ। ଏପଟେ ସି-ତ୍ରାଙ୍ଗ ପ୍ରଭାବରେ ଆସାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବହୁ ଘରଦ୍ୱାର ଭାଙ୍ଗିିଛି ।

ବାଂଲାଦେଶକୁ ଉଡ଼ାଇଲା, ବୁଡ଼ାଇଲା ସି-ତ୍ରାଙ୍ଗ୍‌ । ଦକ୍ଷିଣପୂର୍ବ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ସମୁଦ୍ରରେ ଉଠିଥିଲା ୬ରୁ ୮ ଫୁଟର ଜୁଆର। ଘଣ୍ଟା ପ୍ରତି ପ୍ରାୟ ୯୦ କିଲୋମିଟର ବେଗରେ ପବନ ବହିଥିଲା । ବହୁ ଗଛ ଉପୁଡ଼ି ପଡ଼ିଲା । ରାସ୍ତା ଉପରେ ଶୋଇଛି ବିଜୁଳି ଖୁଣ୍ଟ। ଶକ୍ତି ବିଭାଗର ସର୍ବାଧିକ କ୍ଷୟକ୍ଷତି ଘଟିଛି। ଅନ୍ଧାରରେ ଅଛନ୍ତି ହଜାର ହଜାର ଲୋକ । ବହୁ ଘର ଭାଙ୍ଗିଥିବା ବେଳେ ଉଜୁଡ଼ିଛି ବ୍ୟାପକ ଫସଲ। ରାସ୍ତାଘାଟ ନଷ୍ଟ ହୋଇଛି ।

ଅନେକ ଲୋକ ମୃତାହତ ହୋଇଛନ୍ତି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ ରହିଛି। ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ସରକାରୀ ଅଧିକାରୀ ଓ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା। ପର୍ଯ୍ୟାପ୍ତ ପରିମାଣର ଓଷଧ ଓ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା କ୍ଷୟକ୍ଷତି ଓ ରିଲିଫ୍‌ ଅପରେସନ୍‌ ଉପରେ ସିଧାସଳଖ ନଜର ରଖିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ ପରେ ଦୁର୍ବଳ ହୋଇପଡ଼ିଛି ବାତ୍ୟା ସି-ତ୍ରାଙ୍ଗ । ଡିପ୍‌ ଡିପ୍ରେସନ୍‌, ଡିପ୍ରେସନ୍‌ ଏବଂ େଓ୍ଵଲ ମାର୍କଡ ଲୋ ପ୍ରେସର ପରେ ଲଘୁଚାପର ରୂପ ନେଇଛି । ତେବେ ଭାରତର ଉତ୍ତରପୂର୍ବର ୪ ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ଉପରେ ବାତ୍ୟାର ପ୍ରଭାବ ପଡ଼ିଛି। ଏସବୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଣିଛି ସି-ତ୍ରାଙ୍ଗ୍‌ । ଆସାମରେ ପ୍ରବଳ ବର୍ଷା ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ବହୁ ଗଛ ଉପୁଛି ପଡ଼ିଛି । ବର୍ଷା ଏବେ ବି ଜାରି ରହିଛି । ପଶ୍ଚିମବଙ୍ଗରେ ସମୁଦ୍ରକୁ ଅଶାନ୍ତ କରିଛି ସି-ତ୍ରାଙ୍ଗ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.