ଲ୍ୟାଣ୍ଡଫଲ୍‌ ପୂର୍ବରୁ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି କଲା ତାଉ-ତେ

ନୂଆଦିଲ୍ଲୀ : ମହାବାତ୍ୟା ତାଉ-ତେ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ କେରଳ, କର୍ଣ୍ଣାଟକ ଏବଂ ଗୋଆ ଓ ମହାରାଷ୍ଟ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି କରି ସାରିଲାଣି । ଅନେକ ଜାଗାରେ ବିପର୍ଯ୍ୟୟ ସୃଷ୍ଟି କରି ସାରିଲାଣି । ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ପବନ ସାଙ୍ଗକୁ ସମୁଦ୍ରରେ ଉଚ୍ଚା ଜୁଆର ଉଠିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଚାଲୁଛି । କେଉଁଠି ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ବିଦ୍ୟୁତ୍‌ ଖୁଣ୍ଟି ରାସ୍ତାରେ ଶୋଇ ଯାଇଛି । ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇ ଯାଇଛି ।

ସୂଚନା ଅନୁସାରେ କର୍ଣ୍ଣାଟକରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭିନ୍ନ ଭିନ୍ନ ଘଟଣାରେ ମହାରାଷ୍ଟ୍ରରେ ମଧ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ସୁଦ୍ଧା ପବନ ଓ ବର୍ଷା ଯୋଗୁଁ ମୋଟରେ ୧୨୧ଟି ଗାଁ ପ୍ରଭାବିତ ହୋଇଛି । ମୁମ୍ବାଇ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଥିବା ବେଳେ ଜୁହୁ ଆଦି ଅଞ୍ଚଳରେ ସମୁଦ୍ର ଭୟଙ୍କର ରୂପ ନେଇଛି । ୧୧୪ କିଲୋମିଟର ବେଗରେ ପବନ ବହୁଛି ।

ତାଉ-ତେ ରାତି ୮ଟାରୁ ୧୧ଟା ମଧ୍ୟରେ ଗୁଜରାଟ ଭାବନଗର ଜିଲ୍ଲା ପୋରବନ୍ଦର ଓ ମହୁଆ ମଧ୍ୟ ଭାଗରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.