ଉଜ୍ଜୈନ ମହାକାଳ ମନ୍ଦିରରେ ରିଲ୍ସ! ବଲିଉଡ୍ ଗୀତ ‘ପ୍ୟାର୍-ପ୍ୟାର୍ କରତେ-କରତେ’ରେ ଡ୍ୟାନ୍ସ କଲେ ଦୁଇ ମହିଳା ସୁରକ୍ଷାକର୍ମୀ; ଭିଡିଓ ଭାଇରାଲ ପରେ ନିଲମ୍ବିତ

ବିଶ୍ୱ ପ୍ରସିଦ୍ଧ ଉଜ୍ଜୈନର ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ମୋବାଇଲରୁ ବଲିଉଡ୍ ଗୀତରେ ଭିଡିଓ କରିବାର ସିଲ୍ସିଲା ଥମିବାର ନାଁ ନେଉନାହିଁ। ଏହାରି ଭିତରେ ମନ୍ଦିରରେ ଦୁଇ ମହିଳା ସୁରକ୍ଷାକର୍ମୀଙ୍କ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମହିଳାଦ୍ୱୟ ଭିନ୍ନ ଭିନ୍ନ ବଲିଉଡ୍ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି।
ଭିଡିଓରେ ଦୁଇ ମହିଳା ‘ଜିନେ କେ ବହାନେ ଲାଖୋଁ’ ଏବଂ ‘ପ୍ୟାର-ପ୍ୟାର କରତେ-କରତେ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏହି ଦୁଇଜଣ ହେଉଛନ୍ତି ସୁରକ୍ଷାକର୍ମୀ। ଏମାନଙ୍କ ଭିଡିଓ ଭାଇରାଲ ହେବା ପରେ ତାହା ଚର୍ଚ୍ଚାର ବିଷୟ ହୋଇଛି।
ମାମଲା ବିଷୟରେ ଅବଗତ ହେବା ପରେ ମନ୍ଦିର ପ୍ରଶାସକ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଦୁଇ ମହିଳା କର୍ମୀଙ୍କୁ ଚିହ୍ନଟ କରିଛନ୍ତି। ଏହି ସମୟରେ ଜଣାପଡ଼ିଛି ଯେ ମନ୍ଦିରରେ ମୁତୟନ ଥିବା ସୁରକ୍ଷାକର୍ମୀ ପୁନମ୍ ସେନ ଓ ବର୍ଷା ନବରଙ୍ଗ ଏହି ଭିଡିଓ କରିଥିଲେ। ପ୍ରଶାସକ ତତ୍କାଳ ପ୍ରଭାବରେ ଦୁଇ ଜଣଙ୍କୁ ସେବାରୁ ହଟାଇ ଦେଇଛନ୍ତି।
ଏହି ପୂରା ମାମଲାରେ ଉଜ୍ଜୈନ ଏସ୍ଡିଏମ୍ ସନ୍ତୋଷ ଟାଗୋର କହିଛନ୍ତି, ଏ ନେଇ ମିଡିଆ ମାଧ୍ୟମରେ ସୂଚନା ମିଳିଥିଲା କି, ମହାକାଳ ମନ୍ଦିରରେ ଦୁଇ ମହିଳା ସୁରକ୍ଷାକର୍ମୀ ବଲିଉଡ୍ ଗୀତରେ ଡ୍ୟାନ୍ସ କରି ଭିଡିଓ ଅପଲୋଡ୍ କରିଛନ୍ତି। ଏହି ମାମଲାରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏଥି ପୂର୍ବରୁ ବି ମନ୍ଦିରରେ ଅନେକ ଲୋକଙ୍କ ଦ୍ୱାରା ଏହି ପ୍ରକାରର ଭିଡିଓ ବନାଯିବା ସହିତ ସେୟାର ମଧ୍ୟ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମନ୍ଦିର ଗର୍ଭ ଗୃହ ଏବଂ ନନ୍ଦୀ ହଲରେ ମୋବାଇଲ ଉପରେ ପ୍ରତିବନ୍ଧକ ଲାଗିଛି। ଏହାରି ଭିତରେ ମନ୍ଦିରରେ ମୁତୟନ ସୁରକ୍ଷାକର୍ମୀମାନେ ବଲିଉଡ୍ ଗୀତରେ ଭିଡିଓ କରୁଛନ୍ତି, ଯାହାକୁ ନେଇ ଲୋକେ ନାନା ପ୍ରଶ୍ନ ଉଠାଇଛନ୍ତି।