ସଂପର୍କରେ ରକ୍ତ ଛିଟା, ନିଜ ପରିବାରର ୪ଜଣଙ୍କୁ ହତ୍ୟା କଲା ଯୁବକ

ଆଜିକାଲିର ପିଲାମାନେ ହରାଇ ବସୁଛନ୍ତି ମାନସିକ ସନ୍ତୁଳନ। ଆଉ କରୁଛନ୍ତି ଜଘନ୍ୟ କାଣ୍ଡ। ଦିଲ୍ଲୀ ଜଣେ ଯୁବକ ପ୍ରେମିକାକୁ ୩୫ ଖଣ୍ଡ କରି କାଟିବା ପରେ ଏବେ ପୁଣି ଏକ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ନିଜ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ବାପା, ମା, ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।

ରାଜଧାନୀ ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ମଙ୍ଗଳବାର ରାତିରେ ଘରେ ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ଅଭିଯୁକ୍ତ ଏହି ଜଘନ୍ୟ କାଣ୍ଡ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଯୁବକ ଡ୍ରଗ୍ସ ନେଉଥିବା ଜଣାପଡିଛି। ଏହି ଅଭ୍ୟାସ ଯୋଗୁଁ ନିକଟରେ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ତଳେ ତାଙ୍କୁ ବାହାର କରି ଅଣାଯାଇଥିଲା। ହତ୍ୟାକାଣ୍ଡ କରିଥିବା ଯୁବକଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡିଛି ।

ଯୁବକ ଜଣକ ପ୍ରଥମ ଭଉଣୀକୁ ତା’ ରୁମରେ ହତ୍ୟା କରିବା ପରେ ଜେଜେ ମା’କୁ ମାରିଥିଲା । ଆଉ ମା ଓ ବାପାଙ୍କୁ ହତ୍ୟା କରି ଗାଧୁଆ ଘରେ ପକାଇଥିଲା । ଖବର ମିଳିବା ପରେ ପାଲମ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଥିଲା। ଲିଭ ଇନରେ ରହୁଥିବା ପ୍ରେମିକାକୁ ୩୫ ଖଣ୍ଡ କରି କାଟିବା ପରେ ଆଫତାବ ନାମକ ଯୁବକ ଏହାକୁ ଫ୍ରିଜରେ ରଖିଥିଲା। ଆଉ ରାତିରେ ଲୁଚି ଏହାକୁ ଏତେ ତେଣେ ଜଙ୍ଗଲରେ ପକାଉଥିଲା। ଏମିତି ୫ ମାସ ଧରି କରିଥିଲା ଆଫତାବ। ଏବେ ପୋଲିସ ଆଫତାବକୁ ଗିରଫ କରି ପଚରାଉଚରା କରିବା ପରେ ସବୁ ସତ ମାନିଛି ଆଫତାବ।

ଲିଭ ଇନରେ ରହୁଥିବା ଆଫତାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ବିବାହକୁ ନେଇ ପ୍ରତିଦିନ ଝଗଡା ଲାଗୁଥିଲା। ମେ’ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ମାରିଦେଇଥିଲା ଏବଂ ଏହାପରେ ସେ ତାଙ୍କ ମର ଶରୀରକୁ କାଟି ୩୫ ଖଣ୍ଡ କରିଥିଲା। ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ କିଣିଥିଲା। ସେହି ଫ୍ରିଜରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।

ଶ୍ରଦ୍ଧା ଦିଲ୍ଲୀରେ ରହିଲେ ମଧ୍ୟ ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ସେ ଯୋଗଯୋଗରେ ରହିଥିଲେ। ଶ୍ରଦ୍ଧାଙ୍କର ବନ୍ଧୁମାନେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ ଅଫ୍ ଦେଖାଇଥିଲା। ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ ରହୁନଥିଲେ। ଏଥିପାଇଁ ତାଙ୍କର ଜଣେ ବନ୍ଧୁଙ୍କର ସନ୍ଦେହ ବଢ଼ିଥିଲା। ସେ ଶ୍ରଦ୍ଧାଙ୍କ ଭାଇଙ୍କୁ ଫୋନ୍ କରି ଏକଥା ଜଣାଇଥିଲେ।