ଅଗ୍ନିପଥ ଯୋଜନା ବିରୋଧରେ ଦାଏର ହୋଇଥିବା ସମସ୍ତ ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଦାଏର ହୋଇଥିବା ବିଭିନ୍ନ ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି। ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିମ୍ ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସୁବ୍ରମଣ୍ୟମ୍ ପ୍ରାସଦଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଥିରେ କୁହାଯାଇଛି କି, ଏହି ସ୍କିମ ରାଷ୍ଟ୍ର ହିତ ଏବଂ ସେନାକୁ ଉନ୍ନତ କରିବା ପାଇଁ ଯୋଗ୍ୟ । ଏଥିରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ ।

ଦାଏର କରାଯାଇଥିବା ସମୁଦାୟ ୨୩ଟି ପିଟିସନ୍ରୁ ୫ଟିରେ ‘ଅଗ୍ନିପଥ ଯୋଜନା’ ଚାଲେଞ୍ଜ୍ କରାଯାଇଥିଲା। ବାକି ୧୮ଟି ପିଟିସନ୍ରେ ସେନାର ପୁରାତନ ଭର୍ତ୍ତି ଯୋଜନା ଅନୁଯାୟୀ ନିଯୁକ୍ତି ମିଳୁ ବୋଲି ନିବେଦନ କରାଯାଇଥିଲା। ଅଦାଲତ ସବୁ ପିଟିସନ୍ଗୁଡ଼ିକୁ ଖାରଜ କରିଛନ୍ତି। ଏହାପୂର୍ବରୁ ଗତବର୍ଷ ଡିସେମ୍ବର ୧୫ ତାରିଖରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ତେବେ ଏହି ଶୁଣାଣି ବେଳେ ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିଲେ କେନ୍ଦ୍ର ସରକାର।

ଉଲ୍ଲେଖ ଯୋଗ୍ୟ, ସଶସ୍ତ୍ର ବାହିନୀରେ ଯୁବପିଢ଼ିଙ୍କ ନିଯୁକ୍ତି ପାଇଁ ଗତ ବର୍ଷ ଜୁନ୍ ୧୪ ରେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ନିୟମ ଅନୁଯାୟୀ, ୧୭ରୁ ୨୧ ବର୍ଷ ବୟସର ଲୋକମାନେ ଆବେଦନ କରିବାକୁ ଯୋଗ୍ୟ । ସେମାନଙ୍କ କାର୍ଯ୍ୟକାଳ ଚାରି ବର୍ଷ ରହିବ। ଏହି ଯୋଜନା ଅଧୀନରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ କରାଯିବ।

ଅଗ୍ନିପଥ ଆରମ୍ଭ ହେବା ପରେ ଅନେକ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରାଯାଇଥିଲା। ପରେ ସରକାର ୨୦୨୨ ମସିହାରେ ନିଯୁକ୍ତି ପାଇଁ ବୟସ ସୀମାକୁ ବୃଦ୍ଧି କରି ୨୩ ବର୍ଷ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ସମେତ ଅନେକ ହାଇକୋର୍ଟରେ ଆବେଦନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.