ଝଗଡ଼ାରୁ ମୁକ୍ତି ପାଇବାକୁ ଶାଶୁ ଓ ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ଜ୍ୱାଇଁ, ନିଜେ ଫୋନ୍‌ କରି ଡାକିଲା ପୋଲିସ

ଶାଶୁ ଓ ସ୍ତ୍ରୀର ଜୀବନ ନେଲା ଜ୍ୱାଇଁ। ଘରୋଇ କଳି ଯୋଗୁ ବିରକ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା ନେଇ କହିଛି ଜ୍ୱାଇଁ। ସବୁବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ କଳିକଜିଆ ଲାଗି ରହୁଥିଲା। ଶାଶୁଙ୍କ ଯୋଗୁ ଘରେ ପାଟି ତୁଣ୍ଡ ହେଉଥିବା ନେଇ ସେ ସନ୍ଦେହ କରୁଥିଲା। ବାରମ୍ବାର ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ବ୍ୟକ୍ତି ଜଣକ ଏତେ ମାତ୍ରାରେ ବିରକ୍ତ ହୋଇଯାଇଥିଲା ଯେ ସବୁଦିନ ପାଇଁ ଶୁଆଇ ଦେଲା ସ୍ତ୍ରୀ ଓ ଶାଶୁକୁ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କୁ ମାରିସାରିବା ପରେ ଜ୍ୱାଇଁ ନିଜେ ଥାନାକୁ ଯାଇ ଆତ୍ମ ସମର୍ପଣ କରିବା ସହ ଏମିତି କରିବାର କାରଣ କହିଛି। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ।

ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ, ରବିବାର ସକାଳେ ବାବା ହରିଦାସ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ଥାନାକୁ ଫୋନ୍‌ କରି କହିଥିଲା ଯେ ସେ ଗୁଳି କରି ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛି। ଫୋନ୍‌ କଲ୍‌ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚିଲା ବେଳକୁ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତଳେ ପଡ଼ିଥିଲା। ମୃତ ମହିଳାଙ୍କ ନାମ ହେଉଛି ନିଧି ଓ ବିରୋ।

ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ସେ ନିଜେ ହିଁ ଏହି କାଣ୍ଡ ଭିଆଇଛି ଓ ଏଭଳି କରିବା ପଛର କାରଣ ହେଉଛି ନିତିଦିନିଆ ଝଗଡ଼ା। ୫ ବର୍ଷ ତଳେ ଅଭିଯୁକ୍ତ ମହେଶ ନିଧିକୁ ପ୍ରେମ ବିବାହ କରିଥିଲା। ପ୍ରଥମେ କିଛି ଦିନ ଉଭୟଙ୍କ ମଧ୍ୟରେ ସବୁକିଛି ଭଲ ଥିଲା। ନିଧି ସବୁବେଳେ ମହେଶର ମନ କଥା ବୁଝୁଥିଲା। ଫଳରେ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିଲା। କିନ୍ତୁ ନିଧିର ମା’ ବିରୋ ଆସିବା ପରେ ତାଙ୍କ ଭିତରେ ରୀତିମତ ପାଟିତୁଣ୍ଡ ହେବାକୁ ଲାଗିଲା। ଛୋଟ ଛୋଟ କଥାକୁ ନେଇ ଶାଶୁ ଝିଅକୁ କହୁଥିଲେ। ଫଳରେ ରାତିରେ ଘରକୁ ଫେରିବା ପରେ ନିଧି ସେହି କଥାକୁ ନେଇ ମହେଶ ସହ ଝଗଡ଼ା କରୁଥିଲା। ମହେଶ ଯେତେ ବୁଝାଇଲେ ବି ଶାଶୁଙ୍କ ପ୍ରରୋଚନାରେ ନିଧି କିଛି ବି ବୁଝିବାକୁ ନାରାଜ ଥିଲା।

ଏହି କାରଣରୁ ଦୀର୍ଘ ଦିନ ଧରି ମହେଶ ଚିନ୍ତାରେ ରହୁଥିଲା। ସ୍ତ୍ରୀ ସହ ଝଗଡ଼ାର କାରଣ ଶାଶୁ ବୋଲି ସେ ବୁଝିଗଲା ପରେ ଜୀବନରେ ଶାନ୍ତି ପାଇଁ ସେ ଉଭୟଙ୍କୁୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଏଣୁ ସେ ଏକ ବନ୍ଦୁକ କିଣିଥିଲା। ରବିବାର ଦିନ ସକାଳେ ନିଧି ସହ କୌଣସି କାରଣରୁ ତାଙ୍କ ଝଗଡ଼ା ହେବାରୁ ସେ ରାଗରେ ଉଭୟ ଶାଶୁ ଓ ନିଧି ଉପରକୁ ଅନ୍ଦାଧୁନ୍‌ ଗୁଳିଚାଳନା କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଶାଶୁ ଓ ସ୍ତ୍ରୀକୁ ମାରି ସାରିବା ପରେ ମହେଶ ପୋଲିସ ସାମ୍ନାରେ ସବୁ କିଛି କହିଥିଲା। ପୋଲିସ କହିଛି ଯେ ମହେଶ ଦିଲ୍ଲୀରେ ପୁରୁଣା କାର କିଣାବିକା କାମ କରିଥାଏ। ତେବେ ସମସ୍ତ ଘଟଣା ଶୁଣିସାରିବା ପରେ ପୋଲିସ ମହେଶକୁ ଗିରଫ କରିଛି ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.