ମଙ୍ଗଳସୂତ୍ର ବିଜ୍ଞାପନ ହଟାଇଲେ ଡିଜାଇନର ସବ୍ୟସାଚୀ, ଅର୍ଦ୍ଧନଗ୍ନ ମଡେଲଙ୍କ ଯୋଗୁ ଥିଲେ ବିବାଦରେ

ଅଶ୍ଳୀଳତା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେବା ପରେ ମଙ୍ଗଳସୂତ୍ର ବିଜ୍ଞାପନକୁ ହଟାଇଛନ୍ତି ଜଣାଶୁଣା ଫ୍ୟାଶନ୍‌ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ। ସବୁଆଡ଼ୁ କଡ଼ା ନିନ୍ଦା ପରେ ରବିବାର ଦିନ ଟିମ୍‌ ସବ୍ୟସାଚୀ ଏହି ବିଜ୍ଞାପନକୁ ହଟାଇଛି। ଏହି ବିଜ୍ଞାପନକୁ ହଟାଇବା ଅବସରରେ ଟିମ୍‌ ସବ୍ୟସାଚୀ ପକ୍ଷରୁ ଦୁଃଖ ପ୍ରକାଶ ମଧ୍ୟ କରାଯାଇଛି। ଏହି ବିଜ୍ଞାପନକୁ ବିରୋଧ କରି ସୋସିଆଲ ମିଡିଆରେ ଲୋକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଏଥିସହ ଭାରତୀୟ ଜନତା ପାର୍ଟିର କିଛି ନେତା ମଧ୍ୟ ଏନେଇ ଖୋଲାଖୋଲି ଆଲୋଚନା କରିଥିଲେ।

ଅର୍ଦ୍ଧନଗ୍ନ ମଡେଲ ମଙ୍ଗଳସୂତ୍ରର ବିଜ୍ଞାପନ କରିବା ପରେ ବିବାଦ ଉପୁଜିଥିଲା। ଏହି ମାମଲାରେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ସବ୍ୟସାଚୀ ମଙ୍ଗଳସୂତ୍ରର ‘ଆପତ୍ତିଜନକ ଏବଂ ଅଶ୍ଳୀଳ’ ବିଜ୍ଞାପନକୁ ହଟାଇବା ପାଇଁ ରବିବାର ଦିନ ୨୪ ଘଣ୍ଟାର ‘ଅଲ୍ଟିମେଟମ୍‌’ ଦେଇଥିଲେ। ଏଥିସହ ଚେତାବନୀ ଦେଇଥିଲେ ଯେ ଯଦି ଏହି ବିଜ୍ଞାପନକୁ କମ୍ପାନୀ ପକ୍ଷରୁ ୨୪ ଘଣ୍ଟାରେ ନ ହଟାଯାଏ ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପରେ ୨୪ ଘଣ୍ଟା ମଧ୍ୟରେ ଟିମ୍‌ ସବ୍ୟସାଚୀ ଏହି ବିଜ୍ଞାପନକୁ ହଟାଇଛି।

sabyasachi2
Image Credit: AajTak

ଏ ନେଇ ସବ୍ୟସାଚୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କଳା ଓ ସଂସ୍କୃତି ଉପରେ ଚର୍ଚ୍ଚାର ପୃଷ୍ଠଭୂମିରେ ମଙ୍ଗଳସୂତ୍ର ଅଭିଯାନର ଉଦ୍ଦେଶ୍ୟ ସଶକ୍ତିକରଣ ଉପରେ ଆଲୋଚନା କରିବା ଥିଲା। ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉତ୍ସବ ପାଳନ କରିବା ଥିଲା। କିନ୍ତୁ ଆମେ ଦୁଃଖିତ ଯେ ଏ ଅବସରରେ ଆମ ସମାଜର ଗୋଟିଏ ବର୍ଗକୁ କଷ୍ଟ ହେଲା। ଏଣୁ ଆମେ ଏହି ଅଭିଯାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ।

ସୂଚନାଯୋଗ୍ୟ ଯେ ଟିମ୍‌ ସବ୍ୟସାଚୀ ପକ୍ଷରୁ ଫେଷ୍ଟିଭ୍‌ ସିଜନ୍‌ରେ ନୂଆ ମଙ୍ଗଳସୂତ୍ର ଲଞ୍ଚ୍‌ କରାଯାଇଥିଲା। କିନ୍ତୁ ଏହି ମଙ୍ଗଳସୂତ୍ରର ବିଜ୍ଞାପନରେ ଅର୍ଦ୍ଧନଗ୍ନ ମଡେଲ ଥିଲେ, ଯାହାକୁ ଲୋକେ ପସନ୍ଦ କରିନଥିଲେ। ଫଳରେ ଏହାକୁ ସୋସିଆଲ ମିଡିଆରେ ପ୍ରବଳ ବିରୋଧ କରିଥିଲେ। ଲୋକଙ୍କ ବିରୋଧ ପରେ ବିଜେପି ପକ୍ଷରୁ ମଧ୍ୟ ମାମଲା ରୁଜୁ କରିବାକୁ ଧମକ ଦିଆଯାଇଥିଲା। ଏଣୁ ଗତ କାଲି ଟିମ୍‌ ସବ୍ୟସାଚୀ କ୍ଷମା ମାଗିବା ସହ ବିଜ୍ଞାପନକୁ ପ୍ରତ୍ୟାହାର କରି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.