କଳିଯୁଗର ଶବରୀ: ରାମ ମନ୍ଦିର ପାଇଁ ଦାନ କଲେ ଭିକ୍ଷାବୃତ୍ତି କରି ଚଳୁଥିବା ଆଦିବାସୀ ମହିଳା

ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିର ପାଇଁ ସବୁ ବର୍ଗର ଲୋକମାନେ ନିଜ ସାମର୍ଥ୍ୟ ଅନୁସାରେ କିଛି କିଛି ଦାନ କରୁଛନ୍ତି। ଏହି ଧାରାରେ ଏବେ ଜଣେ ବୃଦ୍ଧା ଭିକ୍ଷୁକ ମଧ୍ୟ ସାମିଲ ହୋଇଛନ୍ତି। ତ୍ରେତୟାଯୁଗରେ ରାମ ବନବାସ ବେଳେ ଯେପରି ଶବରୀ ଶ୍ରୀରାମଙ୍କୁ ଚାଖି ଚାଖି କୋଳି ଖୁଆଇଥିଲେ, ଠିକ୍‌ ସେହିଭଳି ମଧ୍ୟ ପ୍ରଦେଶର ବୈଲ ଜିଲ୍ଲାର ଦେବକୁ ବାଇ ନାମ୍ନୀ ଜଣେ ଆଦିବାସୀ ମହିଳା ଭିକ ମାଗି ସଞ୍ଚୟ କରିଥିବା ଅର୍ଥ ଦାନ କରିଛନ୍ତି। ସେ ରାମ ମନ୍ଦିର ପାଇଁ ଖୁଚୁରା ୧୦୦ ଟଙ୍କା ଦାନ କରିଛନ୍ତି।

ରାମ ମନ୍ଦିର ପାଇଁ ଚାଲିଥିବା ଧନ ସଂଗ୍ରହ କାର୍ଯ୍ୟକ୍ରମ ବେଳେ ସେ ଏହି ଟଙ୍କା ଦାନ କରିଛନ୍ତି। ଦେବକୁ ବାଇ ଆଠନେର ବ୍ଲକ ମୁଖ୍ୟାଳୟରେ ଘରକୁ ଘର ବୁଲି ଭିକ୍ଷା ବୃତ୍ତି କରି ପେଟ ପୋଷିଥାନ୍ତି। ଅଣ୍ଟାରେ ଧନ ନଥିଲେ ମଧ୍ୟ ତାଙ୍କ ମନରେ ଭଗବାନଙ୍କ ପ୍ରତି ଅସୀମ ଭକ୍ତି ରହିଛି। ଏଣୁ ସେ ନିଜ ସ୍ୱଳ୍ପ ଧନରୁ ରାମଙ୍କ ମନ୍ଦିର ପାଇଁ କିଛି ଦାନ କରିଛନ୍ତି।

ଟଙ୍କା ଦାନ କରିବା ଅବସରରେ ଦେବକୁ ବାଇ କହିଛନ୍ତି, ଯେତେ ବିଳମ୍ବରେ ହେଲେ ମଧ୍ୟ ଭଗବାନ ନିଶ୍ଚୟ ଆସନ୍ତି। ଦେବକୁଙ୍କର ଏହି ଭାବପୂର୍ଣ୍ଣ କଥା ଅର୍ଥ ସଂଗ୍ରହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଭାବ ବିହ୍ଵଳିତ କରିପକାଇଥିଲା। ବୃଦ୍ଧାଙ୍କର ଏହି ଭକ୍ତି ଦେଖି ସେମାନଙ୍କ ଆଖି ଭରିଯାଇଥିଲା। ଭିକ ମାଗି ଚଳୁଥିବା ଦେବକୁ ବାଇ ଖୁସିରେ ୧୦ ଓ ୨୦ ଟଙ୍କିଆ ନୋଟ୍‌ ସହ ଖୁଚୁରା ପଇସା ମିଶାଇ ୧୦୦ ଟଙ୍କା ଦାନ କରି ରସିଦ୍‌ କାଟିଛନ୍ତି। ତାଙ୍କ ଭକ୍ତି ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଏବେ କଳିଯୁଗର ଶବରୀ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.