ନିର୍ବାଚନରେ ମାଗଣା ଉପହାର ବାଣ୍ଟୁଥିବା ନେତା ଓ ଦଳକୁ ବ୍ୟାନ୍‌ କରାଯାଉ, ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଉପହାର ବାଣ୍ଟୁଥିବା ରାଜନୈତିକ ଦଳର ମାନ୍ୟତା ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପିଟିସନ୍‌। ଏହି ପିଟିସନ୍‌ରେ କୁହାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ସରକାରୀ ଅର୍ଥକୁ ବ୍ୟବହାର କରି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଉପହାର ଦେଉଛନ୍ତି। ଏଥିସହ ସେମାନଙ୍କୁ ମନ ଲୋଭା ଉପହାର ପାଇଁ ପ୍ରତିଶ୍ରୁତି ବି ଦେଉଛନ୍ତି। ଏସବୁ କାର୍ଯ୍ୟ ଦ୍ୱାରା ନିରପେକ୍ଷ ନିର୍ବାଚନ ପ୍ରଭାବିତ ହୋଇପାରେ। ଏଣୁ ଏମିତି କରୁଥିବା ରାଜନୈତିକ ଦଳ ଗୁଡ଼ିକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି।

ପିଟିସନ୍‌କାରୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଅର୍ଜି ଦାଖଲ କରି କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୋଗକୁ ପ୍ରତିବାଦୀ କରିଛନ୍ତି। ଏହି ପିଟିସନ୍‌ରେ ସେ କହିଛନ୍ତି, ପବ୍ଲିକ ଫଣ୍ଡ୍‌ରେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଉପହାର ଦେବା ଓ ପ୍ରତିଶ୍ରୁତି ଦେବା ନିରପେକ୍ଷ ନିର୍ବାଚନର ବିରୋଧୀ। ଏହା ଭୋଟରଙ୍କୁ ପ୍ରଭାବିତ କରିବା ତଥା ନିଜ ଆଡ଼କୁ ଆକର୍ଷିତ କରିବାର ଏକ ମାଧ୍ୟମ। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପ୍ରଦୂଷିତ ହେଉଛି।

ପିଟିସନ୍‌କାରୀ କହିଛନ୍ତି, ମାଗଣା ଉପହାର ବାଣ୍ଟିବାକୁ ଅନୁଚ୍ଛେଦ-୧୪ର ଉଲ୍ଲଂଘନ ବୋଲି କୁହାଯାଇଛି। ଏହାକୁ ଲାଞ୍ଚ ଘୋଷଣା କରାଯାଉ ଓ ଆଇପିସି ଧାରା ୧୭୧ ବି ଓ ସି ଅନୁସାରେ ଅପରାଧର ମାନ୍ୟତା ଦିଆଯାଉ। ଏଥିସହ ଏଭଳି କରୁଥିବା ରାଜନୈତିକ ଦଳ ଓ ରାଜନେତାଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ବ୍ୟାନ୍‌ କରିବାକୁ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ଉପାଧ୍ୟାୟ। ରାଜନେତା ମାନେ ଟଙ୍କା ଦେଇ ଭୋଟ୍‌ କିଣୁଛନ୍ତି। ଏହା ଦ୍ୱାରା ନିରପେକ୍ଷ ଭୋଟ୍‌ ପ୍ରଭାବିତ ହେଉଛି। ଏଣୁ ତୁରନ୍ତୁ ଏସବୁ ବନ୍ଦ କରିବାକୁ ସେ ସୁପ୍ରିମ୍‌କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ତେବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏବେ ଯାଏଁ କୌଣସି ଶୁଣାଣି ହୋଇନଥିବା ଜଣାଯାଇଛି।