ଜନସାଧାରଣଙ୍କୁ ଆଇସିଏମ୍‌ଆର୍‌ର ପରାମର୍ଶ, ସାମାନ୍ୟ ଜ୍ୱରରେ ଆଣ୍ଟିବାୟୋଟିକ୍‌ ଖାଉଥିଲେ ସାବଧାନ୍!

କେନ୍ୟୁଜ୍: ସାମାନ୍ୟ ଜ୍ୱରରେ ଆଣ୍ଟିବାୟୋଟିକ୍‌ ଖାଅନି। ଜନସାଧାରଣଙ୍କୁ ଆଇସିଏମ୍‌ଆର୍‌ର ପରାମର୍ଶ । ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବା ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍‌ ଔଷଧ ସେବନକୁ ନେଇ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ ଗାଇଡ୍‌ଲାଇନ୍‌ ଆଣିଛି।

ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ବ୍ରୋଙ୍କାଇଟିସ୍‌ ଭଳି ଅସୁସ୍ଥତା ବେଳେ ଆଣ୍ଟିବାୟୋଟିକ୍‌ଠାରୁ ଦୂରେଇ ରହିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି। ଚର୍ମ ଏବଂ ସଫ୍ଟ ଟିସ୍ୟୁ ସଂକ୍ରମଣ ରୋକିବା ପାଇଁ ଡାକ୍ତର ୫ ଦିନ ପାଇଁ ଆଣ୍ଟି ବାୟୋଟିକ୍‌ ଲେଖିବାକୁ ଗାଇଡ୍‌ଲାଇନ୍‌ରେ ରହିଛି।

ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆ ପାଇଁ ୫ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ରୋଗୀଙ୍କ ପାଇଁ ୮ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍‌ ପ୍ରେସ୍‌କ୍ରାଇବ କରାଯାଇପାରିବ। ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି ବାୟୋଟିକ୍‌ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ନିକଟରେ ଆଇସିଏମ୍‌ଆର୍‌ ଦ୍ୱାରା ଏକ ମଲ୍ଟି-ସେଣ୍ଟର ସର୍ଭେ କରାଯାଇଥିଲା।

ଶରୀରରେ ଆଣ୍ଟିବାୟୋଟିକ୍‌କୁ ପ୍ରତିରୋଧ କରୁଥିବା କେତେକ ତତ୍ତ୍ୱ ଉପରେ ଏଥିରେ ଅଧ୍ୟୟନ କରାଯାଇଥିଲା। ରକ୍ତ, ମୂତ୍ରନଳୀ, ଫୁସ୍‌ଫୁସ୍‌ ଆଦିରେ ସଂକ୍ରମଣ ବଢାଉଥିବା ଏସିନେଟୋବ୍ୟାକ୍ଟର ବୌମାନି ନାମକ ଏକ ବ୍ୟାକ୍ଟେରିଆ ପ୍ରଭାବଶାଳୀ ଆଣ୍ଟିବାୟୋଟିକ୍କୁ ସହଜରେ ପ୍ରତିରୋଧ କରିପାରୁଛି। ଏହି ବ୍ୟାକେଟରିଆରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କଷ୍ଟକର ହୋଇପଡୁଛି।