ଭାବି ସ୍ତ୍ରୀଙ୍କୁ ନର୍ସ ସଜାଇ ପ୍ରି-ୱେଡିଙ୍ଗ ଫଟୋସୁଟ୍ କରୁଥିଲେ ଡାକ୍ତର, ହୋଇଗଲେ ନିଲମ୍ବିତ
କାହିଁକିନା ଡାକ୍ତର ବାବୁ ଜଣଙ୍କୁ ଯେଉଁଠି ଭାବି ସ୍ତ୍ରୀ ଭିଡିଓ ଗ୍ରାଫରଙ୍କୁ ଧରି ଫଟୋସୁଟ୍ କରୁଥିଲେ ତାହା ହେଉଛି ଏକ ସରକାରୀ ଡାକ୍ତରଖାନା ।

ସରକାରୀ ଡାକ୍ତରଖାନାକୁ ଫଟୋସୁଟ ପାଇଁ ଚୟନ କଲେ ଡାକ୍ତର । ନିଜ ଭାବି ସ୍ତ୍ରୀ ସହିତ କ୍ୟାମେରା ମ୍ୟାନ୍ ଧରି ପହଁଚିଗଲେ ଡାକ୍ତର । ଖାଲି କଣ ସେତିକି ରୋଗୀ ବି ଶୋଇଥିଲେ ଅପରେସନ୍ ଥିଏଟର ହଲରେ । ଯେମିତି ଦେଖାଯାଉଥିଲା ଏବିକଳ ସତସତିକା ଅପରେସନ୍ ଚାଲିଛି। ପାଖରେ ଭାବି ସ୍ତ୍ରୀ ନର୍ସ ସାଜି ଛିଡା ହୋଇ ମୁଣ୍ଡରୁ ଝାଳ ମଧ୍ୟ ପୋଛି ଦେଉଛନ୍ତି । କିନ୍ତୁ ଡାକ୍ତରଙ୍କୁ ମହଙ୍ଗା ପଡିଗଲା ତାଙ୍କର ଏହି ପ୍ରି-ୱେଡିଙ୍ଗ ଫଟୋସୁଟ୍ ।
ଅପରେସନ୍ ଥିଏଟରରେ ଭାବି ସ୍ତ୍ରୀ ସହିତ ମିଛ ସର୍ଜରୀ ରଚିଲେ ଡାକ୍ତର । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଫଟୋସୁଟକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକିନା ଡାକ୍ତର ବାବୁ ଜଣଙ୍କୁ ଯେଉଁଠି ଭାବି ସ୍ତ୍ରୀ ଭିଡିଓ ଗ୍ରାଫରଙ୍କୁ ଧରି ଫଟୋସୁଟ୍ କରୁଥିଲେ ତାହା ହେଉଛି ଏକ ସରକାରୀ ଡାକ୍ତରଖାନା ।
କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଭରମସାଗର ସରକାରୀ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଅପରେସନ୍ ଥିଏଟରରେ ପ୍ରି-ୱେଡିଙ୍ଗ ଫଟୋସୁଟ୍ କରିବାକୁ ନେଇ ନିଲମ୍ବିତ କରାଯାଇଛି । ଡାକ୍ତର ଜଣଙ୍କ ନିଜ ଭାବି ସ୍ତ୍ରୀଙ୍କ ସହିତ ଓଟି ଭିତରେ ଫେକ୍ ସର୍ଜରୀ କରୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଆଉ ଭିଡିଓକୁ ଦେଖିବା ପରେ ଆଜି ଦିନ ତମାମ୍ ଏହି ଖବର ଖୁବ୍ ଚର୍ଚ୍ଚାରେ ରହିଛି ।
ଭିଡିଓରେ ଦେଖବାକୁ ମିଳୁଛି ଯେ ଅପରେସନ ଥିଏଟର ଭିତରେ ପ୍ରି-ୱେଡିଙ୍ଗ ସୁଟର ଭିଡିଓ ୭ ଜାନୁଆରୀ ଦିନ କରାଯାଇଥିଲା । ଏଥିରେ ଡାକ୍ତର ନିଜ ଭାବି ସ୍ତ୍ରୀଙ୍କ ସହିତ ନକଲୀ ଅସ୍ତ୍ରପଚାର କରୁଥିବା ନଜର ଆସୁଛି । ଏହି ସମୟରେ କ୍ୟାମେରାମ୍ୟାନ୍ ଓ ଟେକ୍ନିସିଆନ ହସୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ମିଛ ନାଟକ କରି ରୋଗୀ ସାଜିଥିବା ବ୍ୟକ୍ତି ବି ଉଠିପଡି ହସୁଥିବା ଦେଖିବାକୁ ମିଳୁଛି ।
ତେବେ କର୍ଣ୍ଣାଟକ ହେଲ୍ଥ ମିନିଷ୍ଟର ଦିନେଶ ଗୁଡ୍ଡୁ ରାଓ ଏହି ଘଟଣାକୁ ନେଇ ଡାକ୍ତରଙ୍କ ଏହି କାମକୁ ଖୁବ୍ ନିନ୍ଦା କରିଛନ୍ତି । ତାସହିତ ସେ ଟ୍ଵିଟରରେ କହିଛନ୍ତି ଯେ ସରକାରୀ ହସ୍ପିଟାଲ ଲୋକଙ୍କ ଚିକିତ୍ସା ପାଇଁ ରହିଛି ନା କାହାର ପର୍ସନାଲ କାମ ପାଇଁ । ଡାକ୍ତରଙ୍କ ଏହିଭଳି କାମକୁ ଆଦୌ ବି ବରଦାସ୍ତ କରାଯିବନାହିଁ ।
ତେବେ ଚିତ୍ରଦୁର୍ଗ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ରେଣୁ ପ୍ରସାଦ କହିଛନ୍ତି ଯେ ଡାକ୍ତରଙ୍କୁ ଗୋଟେ ମାସ ପୂର୍ବରୁ ନ୍ୟାସନାଲ ହେଲ୍ଥ ମିଶନରେ କଣ୍ଟ୍ରାକଟରେ ମେଡିକାଲ ଅଫିସର ଭାବେ ନିଯୁକ୍ତି କରାଯାଇଥିଲା । ତେବେ କହିରଖିବାକୁ ଚାହିଁବୁ ଯେ ଯେଉଁ ଅପରେସନ ଥିଏଟରରେ ପ୍ରି-ୱେଡିଙ୍ଗ ସୁଟ୍ କରାଯାଇଥିଲା,ତାହା ସେପ୍ଟେମ୍ବର ଠାରୁ ବ୍ୟବହାର କରାଯାଇନି । ବର୍ତ୍ତମାନ ସେହି ଅପରେସନ ଥିଏଟରର କାମ ଚାଲୁଛି ।