ଗୁଜରାଟର କଚ୍ଛରେ ଭୂମିକମ୍ପ, ତୀବ୍ରତା ୪.୦
ଗୁଜରାଟର କଚ୍ଛରେ ରବିବାର ଅପରାହ୍ନରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମପାଯାଇଛି । କେତେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଗୁଜରାଟର କଚ୍ଛରେ ରବିବାର ଅପରାହ୍ନରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମପାଯାଇଛି । କେତେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭଚାଉଠାରୁ ୨୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା ।
ଭୂମିକମ୍ପ ଝଟ୍କା ଅନୁଭବ ହେବା କ୍ଷଣି ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ । ଯଦିଓ ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଅପରାହ୍ନ ୪ଟା ୪୫ରେ ଭୂମିକମ୍ପ ଆସିଥିଲା । କଚ୍ଛର ଜିଲ୍ଲାପାଳ ଅମିତ୍ ଅରୋରା କହିଛନ୍ତି, ଭୂମିକମ୍ପରେ ଧନଜୀବନ ହାନିର କୌଣସି ଖବର ନାହିଁ । ଏହି ଜିଲ୍ଲା ଅଧିକ ବିପଦପୂର୍ଣ୍ଣ ଭୂକମ୍ପ ଅଞ୍ଚଳରେ ଅବସ୍ଥିତ । ଏଠାରେ କମ୍ ତୀବ୍ରତାର ଝଟ୍କା ନିୟମିତ ରୂପେ ଆସିଥାଏ ।
୨୦୦୧ ମସିହାରେ ଆସିଥିବା ଭୂମିକମ୍ପ କଚ୍ଛ ଜିଲ୍ଲାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା । ଏହି ଭୟଙ୍କର ବିପର୍ଯ୍ୟୟରେ ପାଖାପାଖି ୧୩,୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୧.୬୭ ଲକ୍ଷ ଲୋକ ଆହତ ହୋଇଥିଲେ । ଏହିପରି ଗତ କିଛିଦିନ ତଳେ ଦିଲ୍ଲୀ-ଏନ୍ସିଆର, ପଞ୍ଜାବ ସହ ଚଣ୍ଡୀଗଡ଼ ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂମିକମ୍ପ ଆସିଥିଲା । ଏହାର କେନ୍ଦ୍ରସ୍ଥଳ ଥିଲା ଆଫ୍ଗାନିସ୍ତାନର ଫୈଜାବାଦ । ହିନ୍ଦୁକୁଶ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ମପାଯାଇଥିଲା ।