ପୁଣି ଥରିଲା ତୁର୍କୀ ଏବଂ ସିରିଆ: ୬.୪ ତୀବ୍ରତାର ଭୂମିକମ୍ପରେ ୩ ମୃତ, ୨୦୦ରୁ ଅଧିକ ଆହତ

ପୁଣି ଥରିଲା ତୁର୍କୀ ଏବଂ ସିରିଆ। ୬.୪ ଏବଂ ୫.୮ ତୀବ୍ରତାର ଦୁଇଟି ଭୂମିକମ୍ପ ପୁଣି ହୋଇଛି । ଏଥିରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି ।

ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂମିକମ୍ପ ତାଣ୍ଡବର ମୃତ୍ୟୁସଂଖ୍ୟା କମିନଥିବା ବେଳେ ପୁଣି ଏକ ଭୂମିକମ୍ପରେ ଥରିଲା ତୁର୍କୀ ଏବଂ ସିରିଆ । ଭୂମିକମ୍ପର ତୀବ୍ରତା ୬.୪ ଥିଲା । ଏଥିରେ ୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୋମବାର ରାତିରେ ପୁଣି ଦୁଇଟି ଭୂମିକମ୍ପ ତୁର୍କୀର ଦକ୍ଷିଣ ପ୍ରାନ୍ତରେ ଆସିଥିଲା । ରାତି ୮ଟା.୪ ମିନିଟରେ ଏହି ଭୂମିକମ୍ପ ଆସିଥିବା ସୂଚନା ମିଳିଛି । ଏହାପରେ ପୁଣି ୫.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏକାଧିକ ଘର ଭାଙ୍ଗି ଯାଇଥିବାରୁ ଧ୍ୱଂସାବଶେଷ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳ ହେଉଛି ତୁର୍କୀର ହାତାୟ ପ୍ରଦେଶ ଅନ୍ତର୍ଗତ ଡେଫନେ। ଏହି ପ୍ରଦେଶଟି ଫେବୃଆରୀ ୬ରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ନେଇ ପୁଣି ତୁର୍କୀ ଜନତାଙ୍କ ଆଶଙ୍କା ବଢ଼ିଯାଇଛି ।

ଫେବୃଆରୀ ୬ ତାରିଖରେ ଘଟିଥିବା ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୪୬ ହଜାର ପାର ହୋଇଗଲାଣି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ତୁର୍କୀକୁ ଏନଡିଆରଏଫ ଟିମକୁ ପଠାଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ ତୁର୍କୀ ରାଷ୍ଟ୍ରପତି ରିସିପ ତାୟିପ ଏର୍ଡୋଗାନ ସୋମବାର ଦେଶର ଦକ୍ଷିଣପୂର୍ବ ଅଞ୍ଚଳରେ ୨ ଲକ୍ଷ ନୂଆ ଘର ନିର୍ମାଣ ନେଇ ଘୋଷଣା କରିଛନ୍ତି। ଫେବ୍ରୁଆରି ୬ ତାରିଖର ଭୂମିକମ୍ପ ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇ ପଡ଼ିଛନ୍ତି। ଦେଶରେ ପାଖାପାଖି ୧,୧୮,୦୦୦ ଘର ଭାଙ୍ଗିଛି କିମ୍ବା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କିମ୍ବା ତୁରନ୍ତ ଭଙ୍ଗାଯିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.