Below header

ତୁର୍କୀରେ ଭୂକମ୍ପର ତାଣ୍ଡବ: ବଢୁଛି ମୃତ୍ୟୁସଂଖ୍ୟା, ବର୍ତ୍ତମାନ ସୁଦ୍ଧା ୮୦୦୦ ଲୋକଙ୍କର ଗଲାଣି ଜୀବନ

ନୂଆଦିଲ୍ଲୀ : ତୁର୍କୀରେ ବିନାଶର ବିକଳ ଚିତ୍ର । ବଡ଼ ଦୁଃଖ ଦେଇଗଲା ଭୂକମ୍ପ । ମୃତ୍ୟୁସଂଖ୍ୟା ବଢୁଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । କେବଳ ତୁର୍କୀରେ ୫ହଜାର ୮୯୪ ଜଣଙ୍କର ଜୀବନ ଯାଇଛି । ସିରିଆରେ ଏହି ସଂଖ୍ୟା ୧ହଜାର ୯୩୨ । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ଧ୍ୱଂସାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍‌ ।

ଏବେ ବି ଭାଙ୍ଗିଯାଇଥିବା କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି । ଧ୍ୱଂସସ୍ତୁପ ପାଲଟିଛି ଅନେକ ଅଞ୍ଚଳ । ଦିନ ରାତି ଅହରହ ଚାଲିଛି ରେସକ୍ୟୁ ଅପରେସନ୍‌ । ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆହତ ହୋଇଛନ୍ତି ୩୦ ହଜାରରୁ ଅଧିକ ଲୋକ । ଯୁଆଡ଼େ ଚାହିଁଲେ ହାହାକାର ପରିସ୍ଥିତି । ଭଙ୍ଗା କୋଠା ତଳୁ ତ୍ରାହି ତ୍ରାହି ଡାକ ଶୁଭୁଛି । ମାଟିରେ ମିଶିଛି ୬ ହଜାରରୁ ଅଧିକ ବିଲଡିଂ । ତୁର୍କୀରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ବେଘର । ମୁଣ୍ଡ ଗୁଞ୍ଜିବା ପାଇଁ ଲୋକଙ୍କ ପାଖରେ ଛାତ ନାହିଁ । ବାରମ୍ବାର ଝଟକା ଅନୁଭୂତ ହେଉଥିବାରୁ ଲୋକ ଘର ଭିତରକୁ ଯିବାକୁ ଭୟ କରୁଛନ୍ତି । ଦିନ ରାତିର ରାସ୍ତା ଉପରେ ରହୁଛନ୍ତି ପ୍ରଭାବିତ ଅଞ୍ଚଳର ଲୋକ । ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକ ଭଙ୍ଗା ଘର ଉପରେ ବସି କାନ୍ଦି କାନ୍ଦି କଂକ୍ରିଟ୍‌ ଅଣ୍ଡାଳୁଛନ୍ତି ।

ତୁର୍କୀ ଓ ସିରିଆରେ ନିଜ ପ୍ରିୟଜନଙ୍କୁ ଖୋଜୁଥିବାର ଲୋମଟାଙ୍କୁରା ଦୃଶ୍ୟ ସାରା ବିଶ୍ୱ ଆଖିରେ ଲୁହ ଭରିଛି । ୩ ମାସ ପାଇଁ ତୁର୍କୀରେ ଏମର୍ଜେନ୍ସୀ ଜାରି ହୋଇଛି । ମାଟିରେ ମିଶିଯାଇଛି ଶହଶହ ବର୍ଷର ଅନେକ ଐତିହ୍ୟ । ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୦ ହଜାର ଟପିଯାଇପାରେ । ଭାରତ ସମେତ ୭୦ରୁ ଅଧିକ ଦେଶ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଲାଗିଛନ୍ତି ବିଭିନ୍ନ ଦେଶର ଟିମ୍‌ । ଗତ ୨୪ ଘଣ୍ଟାରେ ଅନୁଭୂତ ହୋଇଥିଲା ଆଉ ୪ଟି ଭୂକମ୍ପର ଝଟକା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.