ମାନବିକତାର ସବୁ ସୀମା ଲଙ୍ଘିଲା ବର୍ବରକାଣ୍ଡ, ହାତୀ ଦେହରେ ନିଆଁ ଲଗାଇବାରୁ ହାତୀ ମୃତ 

ନୀଳଗିରି :  ମଣିଷ ଯେତେବେଳେ ହିଂସ୍ର ହୋଇଯାଏ, ହିଂସ୍ର ଜୀବ ବି ତା ପାଖରେ ହାର ମାନି ଯାଆନ୍ତି । ଏମିତି ଏକ ହିଂସ୍ର କାର୍ଯ୍ୟ ଘଟିଯାଇଛି ତାମିଲ୍‌ନାଡୁର ନୀଳଗିରି ଅଞ୍ଚଳରେ । ମାନବିକତାର ସବୁ ସୀମା ଲଂଘିଛି ଏହି ବର୍ବର କାଣ୍ଡ । ତାମିଲନାଡୁର ନୀଳଗିରିରେ କିଛି ଲୋକଙ୍କ ଏହି ଅମାନୁଷିକ କାଣ୍ଡ ପଶୁପ୍ରେମୀଙ୍କୁ ବିଚଳିତ କରିଛି।

ନୀଳଗିରି ଜିଲ୍ଲାର ମସିନାଗୁଡ଼ି ଗାଁ ଭିତରକୁ ପଶି ଆସିଥିଲା ଏକ ୪୦ ବର୍ଷିୟ ହାତୀ। ତାକୁ ଘଉଡ଼ାଇବାକୁ ଯାଇ କିଛି ଲୋକ ଜଳନ୍ତା ଟାୟାରକୁ ହାତୀ ଉପରକୁ ଫିଙ୍ଗିଥିଲେ। ନିଆଁ ଦେଖି ହାତୀ ପ୍ରାଣ ବିକଳରେ ପଳାଉଥିବା ବେଳେ ଜଳନ୍ତା ଟାୟାର କିନ୍ତୁ ହାତୀର କାନରେ ଲାଖି ରହିଥିଲା। ଜୀବନ ବଞ୍ଚାଇବାକୁ ଯାଇ ହାତୀଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା। ତେବେ ହାତୀ ଉପରକୁ ଜଳନ୍ତା ଟାୟାର ଫିଙ୍ଗିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

elephant.JPG
photo credit: indiatoday.in

ଏହାକୁ ନେଇ ତନାଘନା ହେବା ପରେ ଜଙ୍ଗଲ ମଧ୍ୟରେ ହାତୀଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ଚିକିତ୍ସା ପାଇଁ ଥେପାକାଡୁ ଏଲିଫ୍ୟାଣ୍ଟ କ୍ୟାମ୍ପକୁ ଅଣାଯାଇଥିଲା। କିନ୍ତୁ ପଶୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ହାତୀଟି ପ୍ରାଣ ହରାଇଛି । ହାତୀ ଉପରେ ହିଂସା ପାଇଁ ତିନିଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳଗିରି ଫରେଷ୍ଟ ଡିଭିଜନ ପକ୍ଷରୁ କୁହାଯାଇଛି। ଏଥିରେ ଜଡ଼ିତ ଥିବା ୨ ଜଣଙ୍କୁ ଗିରଫ କରାଯାଇଛି ।  ଏଭଳି ନାରକୀୟ କାଣ୍ଡକୁ ସମସ୍ତେ ନିନ୍ଦା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.