କ୍ରିସ୍ମାସ୍ ଗିଫ୍ଟ ସହ କରୋନା ବି ବାଣ୍ଟିଲା ସାଣ୍ଟା, ଏବେ ଯାଏଁ ୧୮ ମୃତ ୧୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ

କ୍ରିସ୍ମାସ୍ରେ ସମସ୍ତେ ସାଣ୍ଟାର ଉପହାରକୁ ବହୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। କିନ୍ତୁ ୟୁରୋପୀୟ ଦେଶ ବେଲଜିୟମ୍ର ଏକ ଓଲ୍ଡ ଏଜ୍ ହୋମ୍ରେ ସାଣ୍ଟା କରୋନାର ସୁପରସ୍ପ୍ରେଡର ହୋଇ ପହଞ୍ଚିଛନ୍ତି। ସାଣ୍ଟାଙ୍କ ଏହି ଭିଜିଟ୍ ପରେ ସେଠାରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ମୁତାବକ, ଏବେ ଯାଏଁ ଏହି କେୟାର ହୋମ୍ରେ ୧୮ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏହା ବ୍ୟତୀତ ୧୨୧ ଅନ୍ୟ ଲୋକ ଓ ୩୬ ଜଣ ଷ୍ଟାଫ୍ ସଂକ୍ରମିତ ହୋଇଛନ୍ତି।
ସୂଚନା ମୁତାବକ, ଦୁଇ ସପ୍ତାହ ପୂର୍ବରୁ ସାଣ୍ଟାକ୍ଲଜ୍ ନିଜର କେତେକ ସାଥୀଙ୍କ ସହ ବେଲଜିୟମ୍ର ଏକ ଓଲ୍ଡ ଏଜ୍ କେୟାର ହୋମ୍ ଯାଇଥିଲେ। ସାଣ୍ଟାଙ୍କର ଏହି ଭିଜିଟ୍ ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସାଣ୍ଟା କେୟାର ହୋମ୍ ବୁଲି ସାରି ଯିବା ପରେ ସମସ୍ତ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା। ପରେ କରୋନା ମାମଲା ବଢ଼ିବା ପରେ ସାଣ୍ଟାକ୍ଲଜଙ୍କୁ ସୁପରସ୍ପ୍ରେଡର ନାଁ ଦିଆଯାଇଛି।
୨୪ ଓ ୨୫ ଡିସେମ୍ବରରେ କେୟାର ହୋମ୍ରେ ରହୁଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଆଉ ଜଣେ ବ୍ୟକ୍ତିଙ୍କୁ ଅକ୍ସିଜେନ୍ ସର୍ପୋଟରେ ରଖାଯାଇଛି। ରିପୋର୍ଟ ମୁତାବକ, କେୟାର ହୋମ୍ରେ ଆସିବାର ୩ ଦିନ ପରେ ସାନ୍ତାକ୍ଲଜ୍ଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା।
ସ୍ଥାନୀୟ ମେୟର ବିମ୍ କିୟର୍ସ କହିଛନ୍ତି, ଆସନ୍ତା ୧୦ ଦିନ ବହୁତ କଷ୍ଟଦାୟକ ରହିବ। ସାଣ୍ଟାକ୍ଲଜ୍ କେୟାର ହୋମ୍କୁ ଯିବା ବେଳେ କୋଭିଡ୍ ନିୟମ ପାଳନ କରାଯାଇଥିଲା। କିନ୍ତୁ ପରେ ଫଟୋରୁ ଜାଣିବାକୁ ମିଳିଥିଲା ଯେ ନିୟମ ପାଳନ ହୋଇନଥିଲା। ଏଣୁ ସମସ୍ତେ ସାଣ୍ଟାକ୍ଲଜ୍କୁ ସୁପର ସ୍ପ୍ରେଡର ବୋଲି ଭାବୁଛନ୍ତି।