ଭୂମିକମ୍ପରେ ପ୍ରାଣ ହରାଇଥିବା ନିଜ ମାଲିକକୁ ପ୍ରତିଦିନ ଖୋଜୁଛି ଏହି କୁକୁର! ହୃଦୟ ବିଦାରକ ଫଟୋ ଦେଖିଲେ ଆଖିରେ ଆସିଯିବ ଲୁହ

ଆପଣ କୁକୁରମାନଙ୍କର ଅନେକ କାହାଣୀ ଶୁଣିଥିବେ, କିଛି ମଜାଦାର ତ କିଛି ଲୁହଭିଜା। ଆପଣଙ୍କୁ ଜାପାନର ବିଶ୍ୱସ୍ତ କୁକୁର ‘ହଚିକୋ’ର ହୃଦୟ ବିଦାରକ କାହାଣୀ ନିଶ୍ଚୟ ମନେ ଥିବ, ଯିଏ ନିଜ ମାଲିକର ମୃତ୍ୟୁ ପରେ ରେଲେଓ୍ଵ ଷ୍ଟେସନରେ ଅପେକ୍ଷା କରି ରହୁଥିଲା? କେବଳ ହଚିକୋ ନୁହେଁ, ଏହି ପ୍ରାଣୀ ହିଁ ଯୁଗେ ଯୁଗେ ପ୍ରମାଣିତ କରି ଆସିଛି ଯେ ସେ ବାସ୍ତବରେ ମଣିଷର ସବୁଠାରୁ ଭଲ ବନ୍ଧୁ ହୋଇଥାଏ।

କୁକୁର ପାଳିବାକୁ ସମସ୍ତେ ଭଲ ପାଆନ୍ତି। ଏମାନେ ନିଜ ଜୀବନକୁ ବିପଦରେ ପକାଇ ମାଲିକର ଜୀବନ ରକ୍ଷା କରି ଥାଆନ୍ତି। ବିଶ୍ୱସ୍ତ ପ୍ରାଣୀ ହୋଇଥିବାରୁ ଏହା ମଣିଷଠାରୁ ଅନେକ ସ୍ନେହ, ମମତା ପାଇଥାଏ। ଏବେ କୁକୁରକୁ ନେଇ ଏକ ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, କୁକୁରଟି ଆଫ୍‌ଗାନିସ୍ତାନର ବୋଲି ଜଣାପଡ଼ିଛି। ଏହାର କାହାଣୀ ଅତ୍ୟନ୍ତ ହୃଦୟ ବିଦାରକ ରହିଛି।

କିଛି ଦିନ ତଳେ ପୂର୍ବ ଆଫ୍‌ଗାନିସ୍ତାନର ଗ୍ରାମୀଣ ପାହାଡ଼ିଆ ଅଞ୍ଚଳରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ଭୂମିକମ୍ପର ତୀବ୍ରତା ଥିଲା ୬.୧। ଏଥିରେ ଅନେକ ଘର ଭୁଶୁଡ଼ି ପଡ଼ିଥିଲା। ତେବେ ଏହି କ୍ଷୟକ୍ଷତି ଭିତରେ ଲୋକେ ଦେଖିବାକୁ ପାଇଛନ୍ତି ଯେ ଏକ କୁକୁର ନିୟମିତ ରୂପେ ଗୋଟିଏ ଜାଗାକୁ ଆସୁଛି ଏବଂ କିଛି ଖୋଜିବାକୁ ଚେଷ୍ଟା କରୁଛି।

ଏ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ କ୍ୟାପସନ ଲେଖାଯାଇଛି କି, ‘ଏହି କୁକୁରର ମାଲିକ ପରିବାରର ସମସ୍ତେ ଭୂମିକମ୍ପରେ ମରି ଯାଇଛନ୍ତି। ପଡ଼ୋଶୀଙ୍କ କହିବା ହେଲା, ସେମାନେ କୁକୁରକୁ ଖେଳାଇବା ଏବଂ ଯତ୍ନ ନେବା ପାଇଁ ନିଜ ସାଥୀରେ ନେଇ ଯାଇଛନ୍ତି। ହେଲେ କୁକୁରଟି ପ୍ରତିଦିନ କ୍ଷତିଗ୍ରସ୍ତ ଘରକୁ ଯିବାଆସିବା କରୁଛି ଏବଂ ସେଠାରେ ଛିଡ଼ା ହୋଇ କାନ୍ଦୁଛି’।

ମାଲିକ ଏବଂ ମାଲିକଙ୍କ ପରିବାରକୁ ଖୋଜିବାରେ ବ୍ୟଗ୍ର ଥିବା ଏହି କୁକୁରର ହୃଦୟ ବିଦାରକ ଫଟୋ ଲୋକଙ୍କ ଆଖିରେ ଲୁହ ଆଣି ଦେଇଛି। ସୋସିଆଲ ମିଡିଆର ୟୁଜରମାନେ କହିଛନ୍ତି କି, ଡଗିକୁ ଏକ ପ୍ରେମଭରା ଘର ଏବଂ ଦେଖାଶୁଣାର ଆବଶ୍ୟକ ରହିଛି।

ସେପଟେ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି, ଭାରତ, ଆଫ୍‌ଗାନିସ୍ତାନ ଲୋକଙ୍କ ସହାୟତା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ରିଲିଫ୍‌ କାବୁଲ ପଠାଇଛି। ରିଲିଫ୍‌ ସହାୟତାରେ ଲୋକଙ୍କ ପାଇଁ ରିଜ୍‌ ଟେଣ୍ଟ୍‌, ସ୍ଲିପିଙ୍ଗ୍‌ ବ୍ୟାଗ୍‌, କମ୍ବଳ ଆଦି ଅତ୍ୟାବଶ୍ୟକ ଜିନିଷ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.