ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ନବଯୌବନ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ତ ସାରା ବିଶ୍ୱରେ ପ୍ରସିଦ୍ଧ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କର ଅଦ୍ୟାବିଧି ନୀତି ସବୁ ସ୍ଥାନରେ ପାଳନ କରାଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋରାପୁଟରେ ପାଳିତ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଜଳ ହୋଇଉଠିଛି ସୁଦୂର କୋରାପୁଟ ଜିଲ୍ଲା। ଦୀର୍ଘ ୧୫ ଦିନ ଅଣସରରେ ରହିବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ମହାପ୍ରଭୁ । ଏହାସହିତ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ନବ ଯୌବନ ବେଶରେ ଭଜ୍ତଙ୍କୁ ଦର୍ଶନ ଦେଇଛନ୍ତି । ଠାକୁରଙ୍କୁ ଦର୍ଶନ କରିବାପାଇଁ ମନ୍ଦିରରେ ସକାଳ ଠାରୁ ଭକ୍ତଙ୍କ ଭିଡ ଜମିଛି । ଘଣ୍ଟ ମୃଦଙ୍ଗ, ବାଜାରେ ଉତ୍ସବ ମୁଖର ହୋଇଛି କୋରାପୁଟ ଜଗନ୍ନାଥ ମନ୍ଦିର । ଆଜି ବଡି ଭୋର ସକାଳ ୪.୩୦ରୁ ନୀତିକାନ୍ତି ଆରମ୍ଭ ହୋଇଥିଲା । ମଙ୍ଗଳ ଆଳତି ହେବା ପରେ ମଇଲମ, ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା । ଅଣସର ଘରେ ପୂଜା ପାଉଥୁବା ପଟ ଦିଅଁଙ୍କ ବାହୁଡା ବିଜେ ହେବା ପରେ ଅଣସର ତାଟି ଫିଟିବାପରେ ମହାପ୍ରଭୁ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସକାଳଠାରୁ ଭକ୍ତଙ୍କ ଭିଢ ଜମିଛି ।ତେଣୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଶ୍ରୀକ୍ଷେତ୍ରରେ ମଧ୍ୟ ୧୫ ଦିନର ଅଣସରରେ ରହିଥିବା ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅଣସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ଦଇତାପତି । ଏଥିସହ ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଅର୍ପଣ କରାଯାଇଛି । ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତ ଗଜପତି । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରାଜପ୍ରସାଦ ବିଜେ ନୀତି । ବର୍ଷତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟଡ଼ୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ, କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତାପତି ଓ ପତିମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ସେମାନେ ଶ୍ରୀନହରରେ ପହଞ୍ଚିବା ପରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ଅର୍ପଣ କରିଥିଲେ । ଏହାପରେ ଶ୍ରୀନହରରେ ରାଜ ପୁରୋହିତଙ୍କ ଦ୍ୱାରା ଶାଢୀ ବନ୍ଧା ଯାଇଥିଲା ।

୨୯ ତାରିଖ ମାନେ ଆଜି ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏପଟେ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବା କାମ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି, ସେବାୟତ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ଵୟ, ଭକ୍ତଙ୍କ ସୁରକ୍ଷା ଓ ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.