‘ଇଭିଏମ୍ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି । ମୁମ୍ବାଇ ପୋଲିସ ଶିବସେନା (ସିନ୍ଦେ ଦଳ) ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଣି ଥରେ ଇଭିଏମ୍ ବିବାଦ ଦେଖାଦେଇଛି । ଏହି ପ୍ରସଙ୍ଗରେ ଶାସକ ଏବଂ ବିରୋଧୀ ଦଳର ନେତାମାନେ ସାମ୍ନାସାମ୍ନି ହୋଇଛନ୍ତି ।
ବର୍ତ୍ତମାନ ବିରୋଧୀ ନେତାଙ୍କ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରିଟର୍ଣ୍ଣିଂ ଅଫିସର ବନ୍ଦନା ସୂର୍ଯ୍ୟବଂଶୀ କହିଛନ୍ତି ଯେ ଇଭିଏମ୍କୁ ଖୋଲିବା ପାଇଁ କୌଣସି OTP ଲାଗେ ନାହିଁ । ଇଭିଏମ୍ ଡିଭାଇସ୍ କାହା ସହିତ ସଂଯୁକ୍ତ ନୁହେଁ । ଇଭିଏମ୍ ହେଉଛି ଷ୍ଟାଣ୍ଡାଲୋନ୍ ସିଷ୍ଟମ୍ । ଖବରକାଗଜରେ ସଂପୂର୍ଣ୍ଣ ଭୁଲ ଖବର ପ୍ରକାଶିତ ହୋଇଛି । ଆମେ ସମ୍ପୃକ୍ତ ଖବରକାଗଜକୁ ଏକ ନୋଟିସ୍ ଜାରି କରିଛୁ । ଆଇପିସି ଧାରା ୪୯୯ ଅଧୀନରେ ମାନହାନି ମକଦ୍ଦମା ମଧ୍ୟ ଦାୟର କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଖବରକାଗଜର ସାମ୍ବାଦିକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲି । ଆଇପିସି ଧାରା ୫୦୫ ଏବଂ ୪୯୯ ଅନୁଯାୟୀ ସେମାନଙ୍କୁ ନୋଟିସ୍ ପଠାଇବୁ । ଗୌରବଙ୍କୁ ଯେଉଁ ମୋବାଇଲ୍ ରଖିବାକୁ ଅନୁମତି ଦିଆଯାଇଥିଲା, ତାହା ତାଙ୍କ ନିଜର ମୋବାଇଲ୍ ଫୋନ୍ ଥିଲା । ପୋଲିସର ଯାଞ୍ଚ ପରେ ଆମେ ଇଣ୍ଟରନାଲ୍ ତଦନ୍ତ କରିବୁ କି ନାହିଁ, ତାହା ଆଗକୁ ସ୍ଥିର କରାଯିବ ।
କହି ରଖୁଛୁ କି, ଇଭିଏମ୍ ସମ୍ପର୍କିତ ମାମଲାରେ ମୁମ୍ବାଇ ପୋଲିସ ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ଭିତରେ ନିଷେଧାଦେଶ ସତ୍ତ୍ୱେ ସେ ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ତାଙ୍କୁ ମୋବାଇଲ ଫୋନ୍ ଦେଇଥିବା ଅଭିଯୋଗରେ ପୋଲିସ ନିର୍ବାଚନ ଆୟୋଗର ଜଣେ କର୍ମଚାରୀଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଛି ।