କନୌଜ: ଆଚାର ତିଆରି ପାଇଁ ରହିଥିଲା ୫ କିଲୋ ଆଖୁ ଭିନେଗାର, ୪୫ ଡିଗ୍ରୀ ତାପମାତ୍ରାରେ ଜୋରଦାର୍ ବିସ୍ଫୋରଣ
ଉତ୍ତର ପ୍ରଦେଶର କନୌଜରେ ଆଖୁ ଭିନେଗାରରୁ ଜୋରଦାର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଏକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ଉତ୍ତର ପ୍ରଦେଶର କନୌଜରେ ଆଖୁ ଭିନେଗାରରୁ ଜୋରଦାର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଏକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି ଯେ ଏହି ବିସ୍ଫୋରଣ ବେଳେ ଆଖାପାଖରେ ରହୁଥିବା ଲୋକେ ମଧ୍ୟ ଭୟରେ ଥରିବାକୁ ଲାଗିଥିଲେ ଏବଂ ଏ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା ।
ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଏସ୍ପି ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସଦର କୋତଓ୍ଵାଲି ଅଞ୍ଚଳର ବଗିଆ ଫଜଲ ଇମାମଲ ମୋହଲ୍ଲାରେ ରହୁଥିବା ମନୋଜ କୁମାରଙ୍କ ଘରେ ଘଟିଛି । ଏସ୍ପି ଅମିତ କୁମାର ଆନନ୍ଦ ପହଞ୍ଚି ଘର ନିରୀକ୍ଷଣ କରିଛନ୍ତି ଏବଂ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ପଚରାଉଚରା କରିଛନ୍ତି ।
ତେବେ ଆଶ୍ୱସ୍ତିକର କଥା ଯେ ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ଏସ୍ପି କହିଛନ୍ତି ଯେ ପରିବାର ଲୋକଙ୍କୁ ପଚରାଉଚରା ପରେ ଜଣାପଡ଼ିଛି କି, ଆଚାର ତିଆରି ପାଇଁ ୫ କିଲୋ ଆଖୁ ଭିନେଗାର ଘର ଭିତରେ ରହିଥିଲା । ୪୫ ଡିଗ୍ରୀ ତାପମାତ୍ରାକୁ ଆସିବା ପରେ ଏଥିରେ ଜୋରଦାର ବିସ୍ଫୋରଣ ଘଟିଥିଲା ।
ପୋଲିସ ଏହା ମଧ୍ୟ କହିଛି ଯେ ଯାଞ୍ଚ ବେଳେ ଘର ଭିତରୁ କିଛି ଆତସବାଜି ମଧ୍ୟ ଜବତ କରାଯାଇଛି । ପରିବାର ଲୋକେ କହିଛନ୍ତି କି, ଏଗୁଡ଼ିକ ଦୀପାବଳିରେ ବଳି ଯାଇଥିବା ବାଣ । ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରୁଛି । ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।