କର୍ମଚାରୀଙ୍କୁ ଭୁଲରେ ଦିଆଯାଇଥିବା ଇନ୍‌କ୍ରିମେଣ୍ଟ ଫେରାଇବାକୁ କହିଲେ କମ୍ପାନି, ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଶୁଣାଇଲେ ଏମିତି କଥା

ନୂଆଦିଲ୍ଲୀ : କୌଣସି କର୍ମଚାରୀଙ୍କୁ ଭୁଲରେ ଦିଆଯାଇଥିବା ଇନକ୍ରିମେଣ୍ଟ ତାଙ୍କ ଅବସର ପରେ କମ୍ପାନିକୁ ଫେରାଇବାକୁ ପଡିବ କି ? ଏ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏଥିପାଇଁ କର୍ମଚାରୀ ଜଣକ କୌଣସି ଧୋକ୍କାବାଜି କରି ନାହାଁନ୍ତି । ତେଣୁ ଅବସର ପରେ ତାଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଇ ପାରିବନାହିଁ ।

କାରଣ ଭୁଲ ବଶତଃ ଦିଆଯାଇଥିବା ଇନକ୍ରିମେଣ୍ଟ ପାଇଁ କର୍ମଚାରୀ ଦାୟୀ ନୁହଁନ୍ତି । ତେଣୁ ଜଣେ କର୍ମଚାରୀକୁ ଭୂଲରେ ଦିଆଯାଇଥିବା ଯୋଗୁ ସେହି ଅର୍ଥ କର୍ମଚାରୀଙ୍କ ଅବସର ପରେ ଫେରସ୍ତ ପାଇଁ ବାଧ୍ୟ କରାଯାଇ ପାରିବନାହିଁ । ସୁପ୍ରିକୋର୍ଟ ତାଙ୍କ ନିଷ୍ପତ୍ତିରେ ଆହୁରି କହିଛନ୍ତି ଯେ ଏହା କର୍ମଚାରୀଙ୍କ ପ୍ରତି କୌଣସି ଅଧିକାର କାରଣରୁ ନୁହେଁ । ବରଂ ନ୍ୟାୟ ଓ ବିବେକ କାରଣରୁ କର୍ମଚାରୀଙ୍କୁ ଆଗକୁ ସାମନ୍‌ା କରିବାକୁ ଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଦିଆଯାଇଛି ।

ଜଷ୍ଟିସ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ ବିକ୍ରମ ନାଥଙ୍କ ଖଣ୍ଡ ପୀଠ କେରଳର ଜଣେ ସରକାରୀ ଶିକ୍ଷକ କର୍ମଚାରୀଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ରାଜ୍ୟ ସରକାର ଏହି କର୍ମଚାରୀଙ୍କୁ ଭୁଲ ତରିକାରେ ବେତନ ବୃଦ୍ଧି କରିଥିଲେ ଯାହାର ଅସୁଲି ପାଇଁ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଉକ୍ତ ଶିକ୍ଷକଙ୍କର ୨୦ ବର୍ଷର ଆଇନ ଲଢ଼ାଇକୁ ଏହି ନିଷ୍ପତ୍ତି ଶୁଣାଇ ସମାପ୍ତ କରି ଦେଇଥିଲେ । ଯେଉଁଠି କେରଳ ହାଇକୋର୍ଟରେ ଶିକ୍ଷକ ଜଣଙ୍କ ହାରିଯାଇଥିଲେ ।

ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇବା ବେଳେ କହିଥିଲେ ଯେ କର୍ମଚାରୀ ଜଣକ ପାଉଥିବା ଅର୍ଥରେ ତାର ପରିବାର ଭରଣପୋଷଣ କରିଥାଏ । ଯେଉଁଠି ଭୁଲରେ ଅର୍ଥ ଦିଆଯାଇଥିବା ନେଇ ଶୀଘ୍ର ଜଣାପଡ଼େ ସେତେବେଳେ କୋର୍ଟ ଅର୍ଥ ଫେରସ୍ତ ଖିଲାପରେ ନୁହଁନ୍ତି । ହେଲେ ଯେଉଁଠି ଦୀର୍ଘ ବର୍ଷ ପରେ ଏହା ଜଣାପଡ଼େ,ସେଠାରେ ଅର୍ଥ ଫେରସ୍ତ ଜଣେ କର୍ମଚାରୀ ପକ୍ଷରେ ସମ୍ଭବ ନୁହେଁ । ତେଣୁ ନ୍ୟାୟ ଓ ବିବେକ ଦୃଷ୍ଟିରୁ କର୍ମଚାରୀ ଯେପରି କଠିନର ସାମନା ନ କରନ୍ତି ସେଥିପ୍ରତି କୋର୍ଟ ଦୃଷ୍ଟି ଦେବା ଉଚିତ୍‌ ।

ଏଠାରେ ଉକ୍ତ ଶିକ୍ଷକଙ୍କୁ ୧୯୭୩ ମସିହାରେ ଭୂଲରେ ଇନ୍‌କ୍ରିମେଣ୍ଟ ଦିଆଯାଇଥିଲା ଓ ପ୍ରାୟ ୨୪ ବର୍ଷ ପରେ ଅର୍ଥ ଫେରସ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଥିଲା । ତେବେ ଶିକ୍ଷକ ଜଣକ ପ୍ରଥମେ ଏହା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ସେଠାରୁ ସହଯୋଗ ନ ମିଳିବାରୁ ହାଇକୋର୍ଟ ଯାଇଥିଲେ,ହେଲେ ସେଠାରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା । ଶେଷରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.