Below header

ଭିକ୍ଷା ମାଗିବାକୁ ମନା କରିବାରୁ ଝିଅକୁ ସିଗାରେଟ୍‌ରେ ଚେଙ୍କ ଦେବା ଆରମ୍ଭ କରିଦେଲା ବାପା, ୧୦ ଟଙ୍କା ଧରି ଘରୁ ଚାଲି ଆସିଲା ନାବାଳିକା

‘ବାପା ମୋତେ ଭିକ୍ଷା ମାଗିବାକୁ ବାଧ୍ୟ କରାନ୍ତି, ମୁଁ ମନା କଲେ ସିଗାରେଟ୍‌ରେ ଚେଙ୍କ ଦିଅନ୍ତି। ମୁଁ ନର୍କରୁ ବି ଅତି ମୁସ୍କିଲ ଜୀବନ ଜିଉଁଛି। ମୁଁ ଘରକୁ ଯିବନି, ମୁଁ ପାଠ ପଢ଼ିବି। ଏଥିପାଇଁ ଘର ଛାଡ଼ି ଚାଲି ଆସିଛି। ମୋତେ ଜେଲ୍‌ ପଠାଇ ଦିଅ, ସେ ନର୍କ ହେଇଥାଉ ନା କାହିଁକି, ମୋତେ କିନ୍ତୁ ଘରକୁ ଯିବାର ନାହିଁ’। ଏମିତି କାନ୍ଦି କାନ୍ଦି ଜଣେ ୧୪ ବର୍ଷୀୟା ନାବାଳିକା ସିଡବ୍ଲ୍ୟୁସି ଅଧ୍ୟକ୍ଷାଙ୍କ ସାମ୍ନାରେ ନିଜ ମନର ବେଦନା ବଖାଣିଛନ୍ତି। ଘଟଣାଟି ହେଉଛି ହରିୟାଣା ପାନିପତ୍‌ର।

ସିଡବ୍ଲ୍ୟୁସି ଅଧ୍ୟକ୍ଷା ପଦମା ରାଣୀଙ୍କ କହିବା ହେଲା, ହୋଲି ରାତିରେ ଜଣେ ନାବାଳିକା ରାସ୍ତା କଡ଼ରେ ବସି କାନ୍ଦୁଥିଲା। ଏ ନେଇ ଆମେ ଖବର ପାଇବା ପରେ ପୋଲିସକୁ ପଠାଇ ଘଟଣାସ୍ଥଳରୁ ନାବାଳିକାକୁ ଉଦ୍ଧାର କରିଥିଲୁ। ତା’ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ସେ ଡରରେ କିଛି କହିପାରୁ ଥିଲା। ଆମେ ତା’ର ମେଡିକାଲ ଯାଞ୍ଚ କରେଇବା ପରେ ଏକ ସେଲ୍‌ଟର ହୋମ୍‌କୁ ପଠାଇ ଦେଇଛୁ। ସେଠି ମଙ୍ଗଳବାର ତାକୁ କାଉନ୍‌ସିଲିଂ କରାଯାଇଥିବା ବେଳେ ନାବାଳିକା ଜଣକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି।

କାଉନ୍‌ସିଲିଂ ସମୟରେ ନାବାଳିକା କହିଛି, ସେ ମୂଳତଃ ବିହାରର ବାସିନ୍ଦା। ତାଙ୍କର ୪ ଭାଇ ଅଛନ୍ତି। ସେମାନଙ୍କୁ ବି ବାପା ରେଲେଓ୍ଵ ଷ୍ଟେଶନ ଏବଂ ବସ୍‌ଷ୍ଟାଣ୍ଡରେ ଭିକ୍ଷା ମଗେଇଥାଆନ୍ତି। ସେ ବାପାଙ୍କ ପ୍ରତାଡ଼ନାରେ ପୂରା ଥକି ଯାଇଛନ୍ତି। ଭିକ୍ଷାରେ ମିଳିଥିବା ୧୦ ଟଙ୍କା ଧରି ସେ ଘରୁ ଚାଲିଆସିଛନ୍ତି। ୧୦ ଟଙ୍କାରେ ଏକ ଅଟୋ ଭଡ଼ା ନେଇଥିଲେ। ଅଟୋ ଚାଳକ ତାଙ୍କୁ ସେକ୍ଟର ୧୧ ପାଖରେ ଛାଡ଼ି ଦେଇଛି। ତେବେ ନାବାଳିକା କହିଛନ୍ତି, ତାଙ୍କୁ ଜଣା ନ ଥିଲା କି, ସେ କେଉଁଠାକୁ ଯାଉଛନ୍ତି। କିନ୍ତୁ ଗୋଟିଏ ଲକ୍ଷ୍ୟ ଥିଲା ଯେ ସେ ଆଉ ଘରକୁ ଫେରିବେନି।

ସିଡବ୍ଲ୍ୟୁସି ଅଧିକାରୀ କହିଛନ୍ତି, ନିର୍ଦ୍ଦୟ ବାପା ନିଜ ନାବାଳିକା ଝିଅର ଶରୀରରେ ୪୦ରୁ ଅଧିକ ଜାଗାରେ ସିଗାରେଟ୍‌ ଚେଙ୍କ ଦେଇଛନ୍ତି। ଏହି କାରଣରୁ ନାବାଳିକା ପୂରାପୂରି ଡରିଯାଇଛି। ବର୍ତ୍ତମାନ ତାକୁ ସେଲଟର ହୋମ୍‌ରେ ରଖାଯାଇଛି। ନାବାଳିକା ବାପାଙ୍କୁ ଖୋଜାଖୋଜି ଚାଲିଛି। ସେ ମିଳିବା ପରେ ତାଙ୍କ ବିରୋଧରେ ମାମଲା ଦାଏର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.