ଇନ୍ଦୋର: ତିନି ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ; ୭ ଜଣ ଜୀବନ୍ତ ଦଗ୍ଧ; ୮ ଗୁରୁତର

ଇନ୍ଦୋରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଜୟ ନଗର ଥାନା ଅଞ୍ଚଳରେ ଥିବା ଏକ ୩ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ୮ ଜଣ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଏମ୍‌ଓ୍ଵାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ନିଅାଁ ଲାଗିବାର କାରଣ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

କୁହାଯାଉଛି ଯେ ବିଳମ୍ବିତ ରାତିରେ ହଠାତ୍‌ ବିଲ୍ଡିଂରୁ ଧୂଆଁ ବାହାରିଥିଲା। ଲୋକେ କିଛି ବୁଝିବା ଆଗରୁ ନିଅାଁ ଭୀଷଣ ରୂପ ଧାରଣ କରିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଅଧିକ ବିଳମ୍ବ ହୋଇ ସାରିଥିଲା। ବିଲ୍ଡିଂ ଭିତରେ ରହି ଯାଇଥିବା ୭ ଜଣ ଲୋକ ନିଅାଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଖବର ପାଇ ପହଞ୍ଚିଥିବା ଅଗ୍ନିଶମ ଅଧିକାରୀମାନେ ଅଗ୍ନିକାଣ୍ଡର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ ପ୍ରାରମ୍ଭିକ ଯାଞ୍ଚରେ ଶର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସେପଟେ ଅଗ୍ନିକାଣ୍ଡ ସୂଚନା ପରେ ଆଖପାଖ ଘର ଏବଂ ବିଲ୍ଡିଂରୁ ଲୋକମାନେ ବାହାରି ରାସ୍ତା ଉପରକୁ ଚାଲି ଆସିଛନ୍ତି। ଯଦିଓ ଏହି ସବୁ ଘର ଏବଂ ବିଲ୍ଡିଂକୁ କୌଣସି ପ୍ରକାର କ୍ଷତି ପହଞ୍ଚିଥିବା ନେଇ ଖବର ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.