ବେଡରୁମରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଜଳିଗଲେ ଦମ୍ପତିଙ୍କ ସହିତ ୮ ବର୍ଷର ପୁଅ

ବେଡରୁମରେ ଶୋଇଥିବା ବେଳେ ଅଘଟଣ । ଜଳିଗଲେ ଦମ୍ପତି ଏବଂ ୮ ବର୍ଷର ପୁଅ । ଏମିତି ଏକ ଘଟଣା ଅହମଦାବାଦରେ ଘଟିଛି। ଏକ ଡୁପ୍ଲେକ୍ସର ବେଡରୁମରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା। ଫଳରେ ଦମ୍ପତିଙ୍କ ସହିତ ୮ ବର୍ଷର ପୁଅର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଫରେନ୍ସିକ ଟିମ୍‌ ପତ୍ତା ଲଗାଇବାକୁ ଚେଷ୍ଟା କରୁଛି। ହୁଏତ ପରିବାର ଲୋକେ ରୁମକୁ ଗରମ ରଖିବା ପାଇଁ ନିଆଁର ବ୍ୟବହାର କରିଥିଲେ । ସେଥିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଖବର ମୁତାବକ, ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ଲୋକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ଉଦ୍ଧାରକାରୀ ଦଳ ବିଲିଡିଂରେ ପ୍ରବେଶ କରିବା ସମୟରେ ବିଲିଡିଂର ପ୍ରଥମ ବେଡରୁମରେ ତିନିଜଣକ ମୃତଦେହ ମିଳିଥିଲା । ତେବେ ପୀଡିତଙ୍କ ମୃତ୍ୟୁ ଧୂଆଁରେ ଅଣନିଶ୍ୱାସୀ ହୋଇ ହୋଇଥିବା ଅନୁମାନ କରାଯାଉଛି । ଶରୀରର କିଛି ଭାଗ ପୋଡିଜଳି ଯାଇଥିଲା ।

ମୃତକଙ୍କ ମଧ୍ୟରେ ଜୟେଶ ବାଘେଲା(୪୦), ହଂସାବେନ (୩୫), ରୋହନ (୮) ରହିଛନ୍ତି । ମୃତଦେହର ବ୍ୟବଚ୍ଛେଦ କରିବା ପାଇଁ ସରକାରୀ ହସପିଟାଲକୁ ପଠାଯାଇଛି । ଘରର ଅନ୍ୟ ଭାଗକୁ ନିଆଁ ବ୍ୟାପିବା ପୂର୍ବରୁ ଦମକଳ ବାହିନୀ ଆୟତ୍ତ କରିଦେଇଥିଲେ । ଏହାକୁ ନେଇ ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.