ଦକ୍ଷିଣ ଆଫ୍ରିକାରେ ଭୟାବହ ବନ୍ୟା; ୩୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ହଜାର ହଜାରଙ୍କର ମିଳୁନି ପତ୍ତା

ଦକ୍ଷିଣ ଆଫ୍ରିକାର ଡର୍‌ବନ ସହର ଏବଂ ପୂର୍ବ କ୍ୱାଜୁଲୁ-ନେଟଲ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ୩୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ ଆଗାମୀ ଦିନରେ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ଲାଗି ରହିପାରେ। ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଘରଗୁଡ଼ିକ ଦବି ଯାଇଛି। କେତେକ କୋଠା କ୍ଷତିଗ୍ରସ୍ତ ହୋଇଛି। ସେହିପରି କିଛି ରାସ୍ତା ମଧ୍ୟ ବନ୍ୟା ପାଣିରେ ଧୋଇ ହୋଇ ଯାଇଛି। ଅଧିକାରୀମାନଙ୍କ କହିବା ହେଲା, ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। କାରଣ, ଅନେକ ପରିବାର ଏବେ ମଧ୍ୟ ନିଖୋଜ ଅଛନ୍ତି।

ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ ଡର୍‌ବନ ସହର ଏବଂ ଏହା ନିକଟସ୍ଥ ଇଥେକ୍ୱିନୀ ମଟ୍ରୋପଲିଟନ ଅଞ୍ଚଳରେ ପାଖାପାଖି ୫.୨ କୋଟି ଡଲାରର କ୍ଷତି ଅନୁମାନ କରାଯାଉଛି। ପ୍ରାୟ ୧୨୦ଟି ସ୍କୁଲ ଘରେ ବନ୍ୟାପାଣି ପଶିଯାଇ ଥିବାରୁ ୨.୬ କୋଟି ଡଲାରରୁ ଅଧିକ କ୍ଷୟକ୍ଷତି ଆକଳନ କରାଯାଇଛି। ଏହି କାରଣରୁ ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ସ୍କୁଲଗୁଡ଼ିକୁ ଅସ୍ଥାୟୀ ରୂପେ ବନ୍ଦ କରି ଦେଇଛି।

ଶିକ୍ଷାମନ୍ତ୍ରୀ ଏଞ୍ଜି ମୋଶେଗା କହିଛନ୍ତି ଯେ ବନ୍ୟାରେ ବିଭିନ୍ନ ସ୍କୁଲରୁ ପାଖାପାଖି ୧୮ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେପଟେ ମିଡିଆ ରିପୋର୍ଟ ମୁତାବକ, ପ୍ରଶାସନିକ ସହାୟତା ଅଭାବକୁ ନେଇ ଡରବନର ରିଜର୍ଭଓ୍ଵାୟର ହିଲ୍ସରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କୁ ହଟାଇବା ପାଇଁ ପୋଲିସ ‘ଷ୍ଟନ୍‌ ଗ୍ରେନେଡ୍‌’ ବ୍ୟବହାର କରୁଛି।

Leave A Reply

Your email address will not be published.