ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସର୍ଦାର ବୁଟା ସିଂହଙ୍କର ୮୬ ବର୍ଷ ବୟସରେ ନିଧନ

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସର୍ଦାର ବୁଟା ସିଂହଙ୍କର ଆଜି ସକାଳେ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ବୋଲି ଜଣାଯାଇଛି । ଶ୍ରୀ ସିଂହ ୮  ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏପରି ଏକ ଦୁଖଦ ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟମାନେ ଟ୍ୱିଟ ଯୋଗେ ନିଜ ନିଜ ଶୋକ ବ୍ୟକ୍ତ କରିଛନ୍ତି । ସୂଚନା ଦେଉଛୁକି, ଶ୍ରୀ ସିଂହ କେନ୍ଦ୍ର ସରକାରରେ ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ବ୍ୟତୀତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହିବା ସହ ବିହାର ରାଜ୍ୟପାଳ ଓ ଅନୁସୂଚିତ ଜାତି, ଜନଜାତି ଆୟୋଗର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିଛନ୍ତି ।

ପଞ୍ଜାବର ଜଲନ୍ଦର ମୁସ୍ତଫାପୁର ଗ୍ରାମରେ ଜନ୍ମ ବୁଟା ସିଂହ ୮ଥର ଲୋକସଭା ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ପଞ୍ଜାବର ସବୁଠାରୁ ବଡ ଦଳିତ ନେତା ରୂପେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି । ରାଜୀବ ଗାନ୍ଧୀ ସରକାରରେ ସେ ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଛନ୍ତି । ଏହାପୂର୍ବରୁ ସେ ୧୯୮୪ ରୁ ୧୯୮୬ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ପଦରେ ମଧ୍ୟ ଥିଲେ । ଏହାବ୍ୟତୀତ ବୁଟା ସିଂହ ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳି ଥିଲେ । ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ସମୟରେ ତାଙ୍କୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.