ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କିଣିଲେ ଡାକ୍ତର ଦମ୍ପତି 

କାନପୁର: କାନପୁର ଇନ୍ଦିରାନଗର ଦୟାନନ୍ଦ ବିହାରସ୍ଥିତ ଥିବା ଘରକୁ ବିକ୍ରି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଘରକୁ ଜଣେ ଡାକ୍ତର ଦମ୍ପତି କିଣିଛନ୍ତି। ଆଟର୍ଣ୍ଣି ବଳରେ ଏହି ଘରର ରେଜେଷ୍ଟ୍ରି ହୋଇଛି। ରାଷ୍ଟ୍ରପତି ଥିବାବେଳେ ରାମନାଥ କୋବିନ୍ଦ ଏବଂ ପତ୍ନୀ ବହୁବାର ଏହି ଘରକୁ ବୁଲିବାକୁ ଆସିଛନ୍ତି। ରାଜ୍ୟସଭା ସଦସ୍ୟ ରାମନାଥ ରାଷ୍ଟ୍ରପତି ହେବା ପରେ ତାଙ୍କର ଏହି ଘରକୁ ସୁରକ୍ଷା ବଳୟରେ ରଖାଯାଇଥିଲା। ପୋଲିସ ଫୋର୍ସ ଘରକୁ ଜଗୁଥିଲେ। ଏହି ଘର ଲାଗି ଅଞ୍ଚଳକୁ ଭିଆଇପି ଅଞ୍ଚଳ ବୋଲି ଗଣାଯାଉଥିଲା।

ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ପ୍ରୋଟୋକଲ ଓ ପରମ୍ପରା ଅନୁସାରେ, ତାଙ୍କୁ ଦିଲ୍ଲୀରେ ଆବାସ ଆବଣ୍ଟିତ କରାଯାଇଛି। ଏଣୁ କୋବିନ୍ଦ ଓ ତାଙ୍କ ପରିବାର ଏବେ ଦିଲ୍ଲୀରେ ରହିବେ।

ତେବେ ତାଙ୍କ ଘରକୁ କିଣିଥିବା ଡାକ୍ତର ଶରଦ ଓ ଶିଲା ଘର ଲାଗି ବେଶ୍‌ ଖୁସି ଅଛନ୍ତି। ରାଷ୍ଟ୍ରପତିଙ୍କ ଘରେ ତାଙ୍କ ପରିବାର ରହିବେ ଏହା ତାଙ୍କ ପାଇଁ ସୌଭାଗ୍ୟ। ଡାକ୍ତର ଦମ୍ପତି ଏକ ଘରୋଇ ଡାକ୍ତରଖାନା ଚଳାଉଛନ୍ତି। ସେମାନେ କାହ୍ନା ଶ୍ୟାମରେ ରହୁଛନ୍ତି। ଏବେ ରାଷ୍ଟ୍ରପତିଙ୍କ ଘର କିଣିସାରିଥିବାରୁ ଶରଦ ଓ ଶିଲାଙ୍କର ଏହା ନୂଆ ଠିକଣା ହେବ। ପ୍ରକାଶ ଯେ ପୂର୍ବତନ ରାଷ୍ଟ୍ରପତି ଗାଁରେ ଥିବା ତାଙ୍କ ଜମିକୁ ସାମାଜିକ କଲ୍ୟାଣ ପାଇଁ ପୂର୍ବରୁ ଦାନ କରିସାରିଛନ୍ତି।

Also Read: ଖୁସି ଖବର! ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍