ୟୁକ୍ରେନ୍‌ରେ ରୁଷ୍‌ ଆକ୍ରମଣରେ ଗଲା ଫ୍ରାନ୍ସ ସାମ୍ବାଦିକଙ୍କ ଜୀବନ, ଟ୍ଵିଟ୍‌ ଯୋଗେ ସୂଚନା ଦେଲେ ରାଷ୍ଟ୍ରପତି

ୟୁକ୍ରେନ୍‌ ଯୁଦ୍ଧ ଖବର ପରିବେଷଣ କରିବାକୁ ଯାଇଥିବା ଜଣେ ଫରାସୀ ରିପୋର୍ଟର (French Journalist) ଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ (Emmanuel Macron) ସୋମବାର ଦିନ ଟ୍ଵିଟରରେ ଏହି ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି, ଫ୍ରାନ୍ସ ସାମ୍ବାଦିକ ଫ୍ରେଡେରିକ୍‌ ଲେକ୍ଲେର ଇମ୍‌ହଫ୍‌ (Frederic Leclerc-Imhoff) ଯୁଦ୍ଧର ବାସ୍ତବତାକୁ ସର୍ବ ସମ୍ମୁଖକୁ ଆଣିବାକୁ ୟୁକ୍ରେନ୍‌ରେ ଥିଲେ। ସେ ରୁଷ୍‌ ବୋମା ବିସ୍ଫୋରଣରୁ ବଞ୍ଚିବାକୁ ସେଠାକାର ନାଗରିକଙ୍କ ସହ ଏକ ବସ୍‌ରେ ବସି ଅନ୍ୟତ୍ର ଯାଉଥିବା ବେଳେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଛି।

ସାମ୍ବାଦିକ ଫ୍ରେଡେରିକ୍‌ ଲେକ୍ଲେର ଇମ୍‌ହଫ୍‌ (Frederic Leclerc-Imhoff) ଙ୍କ ମୃତ୍ୟୁ ଘଟିଥିବା ନେଇ ଫରାସୀ ଟିଭି ଚ୍ୟାନେଲ BFM-TV ସ୍ପଷ୍ଟ କରିଛି। ଖବର ପରିବେଷଣ ପାଇଁ ସେ ୟୁକ୍ରେନ୍‌ ଯାଇଥିଲେ। ସେଠାରେ ରୁଷ୍‌ ସେନା ହାତରେ ତାଙ୍କ ଜୀବନ ଯାଇଛି ବୋଲି ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

ଦ କିଭ୍‌ ଇଣ୍ଡିପେଣ୍ଡେଣ୍ଟ ମୁତାବକ, ଗଭର୍ଣ୍ଣର ସେରହୀ ହେଦାଇଙ୍କ ଅନୁସାରେ, ଲୁହାନସ୍କ ଓବ୍ଲାଷ୍ଟରେ ନାଗରିକଙ୍କୁ ସ୍ଥାନାନ୍ତର କରାଯିବା ବେଳେ ଫରାସୀ ସାମ୍ବାଦିକ ଫ୍ରେଡେରିକ୍‌ ଲେକ୍ଲେର ଇମ୍‌ହଫ୍‌ଙ୍କ ମୃତ୍ୟୁ ଘଟିଛି। ରୁଷ୍‌ ସେନା ନାଗରିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରେ ଗୁଳି ମାଡ଼ କରିଥିଲା। ଫଳରେ ସେଥିରେ ଥିବା ଫ୍ରାନ୍ସ ସାମ୍ବାଦିକ ଫ୍ରେଡେରିକ୍‌ ଲେକ୍ଲେର ଇମ୍‌ହଫ୍‌ଙ୍କ ଜୀବନ ଯାଇଛି।

ସୂଚନାଯୋଗ୍ୟ ଯେ ଲକ୍ଷ ଲକ୍ଷ ସେନାର ଯବାନଙ୍କୁ ହରାଇବା ପରେ ବି ରୁଷ୍‌ ନିଜ ଯୁଦ୍ଧ ମନୋବୃତ୍ତି ଛାଡ଼ିପାରୁ ନାହିଁ। ଏବେ ବି ୟୁକ୍ରେନ୍‌ ସହ ଯୁଦ୍ଧ ଜାରି ରଖିଛନ୍ତି ପୁଟିନ୍‌ ସେନା। ଶନିବାର ଭ୍ଲାଦିମିର ପୁଟିନ୍‌ଙ୍କ ଏକ ଫୋନ୍‌ କଲ୍‌ରେ ଫ୍ରାନ୍ସ ଓ ଜର୍ମାନୀର ନେତା କଥା ହୋଇଥିଲେ। ସେମାନେ ରୁଷ୍‌ କବ୍‌ଜାରେ ଥିବା ୟୁକ୍ରେନ୍‌ ସେନାଙ୍କୁ ଛାଡ଼ିବାକୁ ଅପିଲ କରିଥିଲେ। କିନ୍ତୁ ପୁଟିନ୍‌ କୌଣସି କଥାରେ ରାଜି ହୋଇ ନଥିବା ଜଣାଯାଇଛି।

Also Read: ସମୁଦ୍ରରେ ଭାସି ଆସି ପୁରୀ ବେଳାଭୂମିରେ ଲାଗିଛି ଶିବ ଲିଙ୍ଗଙ୍କ ଶକ୍ତି, ଦେଖିବାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ