ଲକ୍ଷ୍ନୌ: ଡାକ୍ତରଙ୍କ ଅନୁପସ୍ଥିତିରେ କ୍ଲିନିକ୍‌ରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ, କମ୍ପାଉଣ୍ଡର ଜବରଦସ୍ତ ପିଆଇଥିଲେ ନିଶା ଔଷଧ

ଲକ୍ଷ୍ନୌର ଜାନକୀପୁରମ୍‌ରେ ଏକ କ୍ଲିନିକ୍‌ରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। କ୍ଲିନିକର ଜଣେ କମ୍ପାଉଣ୍ଡର ଅନ୍ୟ ଜଣେ ନାବାଳକଙ୍କ ସହ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି।

ଲକ୍ଷ୍ନୌର ଜାନକୀପୁରମ୍‌ରେ ଏକ କ୍ଲିନିକ୍‌ରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କ୍ଲିନିକର ଜଣେ କମ୍ପାଉଣ୍ଡର ଅନ୍ୟ ଜଣେ ନାବାଳକଙ୍କ ସହ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ଜବରଦସ୍ତ ନିଶା ଔଷଧ ଖୁଆଇ ବେହୋସ୍‌ କରି ଦେଇଥିଲେ ଏବଂ ଏହାପରେ ଘଟଣା ଘଟାଇଥିଲେ।

ରିପୋର୍ଟ ମୁତାବକ, ମୁଖ୍ୟ ଅଭିଯୁକ୍ତ ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ଭାଇରାଲ କରିବାକୁ ଧମକ ଦେଇ ପୁନର୍ବାର ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ତେବେ ଦ୍ୱିତୀୟ ଥର ଯେତେବେଳେ ଅଭିଯୁକ୍ତମାନେ ଦୁଷ୍କର୍ମ କରିବାକୁ ଯାଉଥିଲେ, ସେହି ସମୟରେ ପୀଡିତାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।

ଏ ସମ୍ପର୍କରେ ସେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ସହିତ ଅନ୍ୟାନ୍ୟ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ନାବାଳକଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ପୀଡିତାଙ୍କ ମା’ଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ, ତାଙ୍କ ଝିଅ ଜାନକୀପୁରମ୍‌ରେ ଥିବା ଏକ କ୍ଲିନିକ୍‌କୁ କାମ କରିବାକୁ ଯାଉଥିଲେ। ପାଖାପାଖି ଦୁଇ ସପ୍ତାହ ପୂର୍ବରୁ ଯେତେବେଳେ ଡାକ୍ତର କ୍ଲିନିକକୁ ଆସି ନ ଥିଲେ, ସେହି ସମୟରେ ଉଭୟ ଅଭିଯୁକ୍ତ ତାଙ୍କୁ ନିଶା ଔଷଧ ଦେଇ ଗଣଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ମା’ଙ୍କ ଅଭିଯୋଗ ହେଲା, ପ୍ରଥମ ଥର ଘଟଣା ଘଟାଇ ଏହାର ଭିଡିଓ ରେକର୍ଡ କରିବା ପରେ ଅଭିଯୁକ୍ତମାନେ ଝିଅକୁ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରିଥିଲେ। ଫଳରେ ସେ ଅନ୍ୟ କୌଣସି ଉପାୟ ନ ପାଇ କ୍ଲିନିକ ଯିବା ବନ୍ଦ କରି ଦେଇଥିଲେ।

ଜୁଲାଇ ୩୧ରେ ପୀଡିତା କିଛି କାମ ପାଇଁ ଘରୁ ବାହାରିଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅଟକାଇ ଜବରଦସ୍ତ କ୍ଲିନିକକୁ ନେଇ ଯାଇଥିଲେ। ଏହି ସମୟରେ ସନ୍ଦେହ କରି ପୀଡିତାଙ୍କ ଭାଇ ଯେତେବେଳେ କ୍ଲିନିକରେ ପହଞ୍ଚି ଥିଲେ, ସେତେବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.