ଶୁଦ୍ଧିକ୍ରିୟା ପାଇଁ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରେ ଲାଗିଲା ନିଆଁ, ପୋଡିଗଲେ ପରିବାରର ୧୧ ଜଣ ସଦସ୍ୟ
ୟୁପିର ହମିରପୁର ଜିଲ୍ଲାରେ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଗଲା। ଏହି ଘଟଣାରେ ପରିବାର ୧୧ ଜଣ ସଦସ୍ୟ ଜଳିପୋଡିଯାଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ଝାନ୍ସି ରେଫର କରାଯାଇଛି ।
ସ୍ଥାନୀୟ ଏସଡିଏମ୍ ପବନ ପାଠକ କହିଛନ୍ତି, ମୁଗଲପୁରା ଅଞ୍ଚଳର ନିବାସୀ ପରମଲାଲ ସାହୁଙ୍କ ପତ୍ନୀ କିଶୋରୀ ଦେବୀଙ୍କ ପରଲୋକ ହୋଇଥିଲା। ତେଣୁ ଘରେ ଅସ୍ଥି ବିସର୍ଜନ କରିବା ପରେ ଶୁଦ୍ଧିକ୍ରିୟା କାମ ଚାଲୁଥିଲା । ଆଉ ଏଥିପାଇଁ ରୋଷେଇ ହେଉଥିବା ବେଳେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା।
ଘଟଣାରେ ପରମଲାଲଙ୍କ ପୁଅ ଶ୍ୟମ ବିହାରୀ(୫୫), ପ୍ରକାଶ(୬୩), ଗୋପୀନାଥ(୬୬), ଜଗତ (୫୪), ନାତି ଆୟୁଷ(୧୫), ଅଖିଳେଶ, ରାଜଦୀପ, ବିରେନ୍ଦ୍ର, ଓକାର, ଫୁଲା ଦେବୀଙ୍କ ସହିତ ୧୧ ଜଣ ପୋଡିଯାଇଛନ୍ତି । ନିଆଁ ଲାଗିବା ପରେ ପଡୋଶୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସେମାନଙ୍କୁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଝାନ୍ସି ରେଫର କରାଯାଇଛି ।
ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଡକମ୍ପ ସୃଷ୍ଟି ହୋଇଛି । ଘଟଣା ବିଷୟରେ ସୂଚନା ପାଇବା ପରେ ପ୍ରକାଶ ପାଠକ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।