ସରକାରଙ୍କ ବଡ଼ ଘୋଷଣା! ଏବେ ୯ ମାସ ନୁହେଁ, ଦ୍ୱିତୀୟ ଡୋଜ୍‌ର ୬ ମାସ ପରେ ନେଇ ପାରିବେ ବୁଷ୍ଟର ଟିକା

ଦେଶରେ ବଢ଼ି ଚାଲିଥିବା କରୋନା ମାମଲା ଭିତରେ ବୁଧବାର କେନ୍ଦ୍ର ସରକାର କୋଭିଡ୍‌ ନିରୋଧୀ ଟିକାକରଣ ଅଭିଯାନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସରକାର ବୁଷ୍ଟର ଡୋଜ୍‌ର ଅନ୍ତରାଳକୁ ହ୍ରାସ କରି ବର୍ତ୍ତମାନ ୬ ମାସ କରି ଦେଇଛନ୍ତି। ପୂର୍ବରୁ ଏହା ୯ ମାସ ଥିଲା।

ଗତ ମାସରେ NTAGIର Standing Technical Sub-Committee (STSC) କୋଭିଡ୍‌ ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ମଧ୍ୟରେ ଅନ୍ତରକୁ ୬ ମାସ ପର୍ଯ୍ୟନ୍ତ କମ୍‌ କରିବାକୁ ସୁପାରିଶ୍‌ କରିଥିଲା। ଏହାପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଟିକାକରଣ ଉପରେ ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ସୁପାରିଶକୁ ଅନୁମୋଦନ କରିଥିଲା।

ତେଣୁ ଏବେ ନିର୍ଣ୍ଣୟ ନିଆଯାଇଛି ଯେ ୧୮ରୁ ୫୯ ବର୍ଷ ବୟସର ସମସ୍ତ ଲାଭାର୍ଥୀ ଦ୍ୱିତୀୟ ଡୋଜ୍‌ର ତାରିଖଠାରୁ ୬ ମାସ ବା ୨୬ ସପ୍ତାହ ପୂରଣ ହେବା ପରେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେଇ ପାରିବେ।

ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟମାନଙ୍କୁ ଚିଠି ଜାରି କରି କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କୋଭିଡ୍‌-୧୯ ଡୋଜ୍‌ର ଅନ୍ତରକୁ ୯ ମାସରୁ ହ୍ରାସ କରି ୬ ମାସ କରି ଦେଇଛି।

ଚିଠିରେ ଆହୁରି କୁହାଯାଇଛି ଯେ ୬୦ ବର୍ଷରୁ ଅଧିକ ବୟସର ବୃଦ୍ଧ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ ଓ୍ଵାର୍କରମାନଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ କୋଭିଡ୍‌ ବୁଷ୍ଟର ଡୋଜ୍‌ ମାଗଣାରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.