Below header

ଦେଖି ନଥିବେ ଏମିତି ବନ୍ଧୁତ୍ୱ : ହଠାତ୍‌ ଶିକାର ବନ୍ଧୁକରୁ ଚାଲିଗଲା ଗୁଳି, ଆଖି ଆଗରେ ସାଙ୍ଗର ମୃତ୍ୟୁ ଦେଖି ଜୀବନ ହାରିଦେଲେ ଅନ୍ୟ ୩ ସାଙ୍ଗ

ଉତ୍ତରାଖଣ୍ଡର ନୂଆ ଟିହରୀ ଅଞ୍ଚଳରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା। ଘଟଣା ଏମିତି ଯେ ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୂରା ବାକ୍‌ଶୂନ୍ୟ କରି ଦେଇଛି। ଖବରରୁ ଜଣାପଡ଼ିଛି, ଶିକାର ଅଭିଯାନ ବେଳେ ନିଜ ସାଙ୍ଗର ମୃତ୍ୟୁ ଦେଖି ଘଟଣାସ୍ଥଳରେ ଆତ୍ମହତ୍ୟା କରିଛନ୍ତି ବାକି ୩ ସାଙ୍ଗ। ଗଭୀର ଅନୁତାପରେ ଅଣନିଃଶ୍ୱାସ ହୋଇପଡ଼ି ଶେଷରେ ଜୀବନ ହାରିବାକୁ ହିଁ ଉଚିତ ମଣିଛନ୍ତି ଏହି ସାଙ୍ଗମାନେ। ଘଟଣା ଘଟିଛି ଟିହରୀ ଜିଲାର କୁଣ୍ଡୀ ଗାଁ ନିକଟସ୍ଥ ଏକ ଜଙ୍ଗଲରେ।

ଏସ୍‌ଡିଏମ୍‌ ପିଆର୍‌ ଚୌହାନଙ୍କ କହିବା ଅନୁଯାୟୀ, ବନ୍ଧୁକରୁ ଦୁର୍ଘଟଣାବଶତଃ ଗୁଳି ବାହାରି ଯିବାରୁ ଜଣେ ସାଙ୍ଗର ମୃତ୍ୟୁ ହୋଇଯାଇଥିଲା, ଯାହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ପାଖରେ ଛିଡ଼ା ହୋଇଥିବା ଅନ୍ୟ ୩ ସାଙ୍ଗ। ସମସ୍ତଙ୍କ ବୟସ ପାଖାପାଖି ୧୮ରୁ ୨୨ ବର୍ଷ ଭିତରେ ହେବ।

ଖବରରୁ ଜଣାପଡ଼ିଛି, ଉତ୍ତରାଖଣ୍ଡ ଭିଲଙ୍ଗନା ବ୍ଲକର ଏକ ଗାଁରୁ ୭ଜଣ ସାଙ୍ଗ ଗତ ଶନିବାର ରାତିରେ ଶିକାର ପାଇଁ ବାହାରିଥିଲେ। ଦଳର ନେତୃତ୍ୱ ନେଉଥିଲେ ୨୨ ବର୍ଷୀୟ ରାଜୀବ। ସେ ଧରିଥିବା ଲୋଡେଡ୍‌ ବନ୍ଧୁକରୁ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ଗୋଡ଼ ଖସିଯିବାରୁ କାନ୍ଧ ଉପରେ ଥିବା ବନ୍ଧୁକରୁ ହଠାତ୍‌ ଗୁଳି ବାହାରି ସନ୍ତୋଷ ନାମକ ସାଙ୍ଗ ଦେହ ବାଜିଥିଲା, ଆଉ ସେହିଠାରେ ହିଁ ଟଳି ପଡ଼ିଥିଲେ ସନ୍ତୋଷ। ସେପଟେ ନିଜ ଆଖି ଆଗରେ ଏହି ଦୃଶ୍ୟ ଦେଖି ଚକିତ ହୋଇପଡ଼ିଥିଲେ ଅନ୍ୟ ସାଙ୍ଗ। ଏ ପୂରା ଘଟଣା ପାଇଁ ନିଜକୁ ହିଁ ଦୋଷୀ ବୋଲି ଭାବି ନେଇଥିଲେ ସେମାନେ।

କିନ୍ତୁ ଘଟଣା ପରେ ଦଳପତି ରାଜୀବ ବନ୍ଧୁକ ଧରି ସେଠାରୁ ଫେରାର୍‌ ହୋଇଯାଇଥିବା ବେଳେ ୩ ସାଙ୍ଗ ସୋବନ, ପଙ୍କଜ ଓ ଅର୍ଜୁନ ସେହିଠାରେ ହିଁ କୀଟନାଶକ ପିଇ ଦେଇଥିଲେ। ଘଟଣାକୁ ନେଇ ସେମାନେ ବହୁତ ଲଜ୍ଜାବୋଧ କରିଥିଲେ ବୋଲି କହିଛନ୍ତି ବାକି ୨ ସାଙ୍ଗ ରାହୁଲ ଓ ସୁମିତ।

ସେପଟେ ରାହୁଲ ଓ ସୁମିତ ଏହି ସବୁ ଘଟଣା ଦେଖି ଗାଁ ଲୋକଙ୍କୁ ଯାଇ ଜଣାଇଥିଲେ। ଖବର ପାଇ ଗ୍ରାମବାସୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ନେଇଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚୁ ପହଞ୍ଚୁ ପଙ୍କଜ ଓ ଅର୍ଜୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଚିକିତ୍ସା ସମୟରେ ସୋବନଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.