ଗୁଜରାଟର ଏହି ମନ୍ଦିରକୁ ଛୋଟ କପଡ଼ା ପିନ୍ଧି ଶ୍ରଦ୍ଧାଳୁଙ୍କୁ ଯିବା ମନା

ଅହମ୍ମଦାବାଦ :  ମନ୍ଦିରକୁ ଯିବାକୁ ହେଲେ କୌଣସି ନିର୍ଦ୍ଦିଷ୍ଟ ବେଶ ପୋଷାକର ଆବଶ୍ୟକ ନଥାଏ । କେବଳ ଶୁଦ୍ଧପୂତ ହୋଇ ଯିବାକୁ ପଡ଼ିଥାଏ । ହେଲେ ଗୁଜରାଟର ଏପରି ଏକ ମନ୍ଦିର ଅଛି ଯେଉଁଠିକୁ ଛୋଟ କପଡ଼ା (ସ୍କର୍ଟ, ବରମୁଣ୍ଡା) ପିନ୍ଧିକରି ଶ୍ରଦ୍ଧାଳୁଙ୍କୁ ଯିବା ମନା । ଏହି ମନ୍ଦିର ହେଉଛି ଗୁଜୁରାଟର ଶାମଲାଜୀ ବିଷ୍ଣୁ ମନ୍ଦିର । ମନ୍ଦିରର ଟ୍ରଷ୍ଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜାରି କରାଯାଇଥିବା ଏହି ନିୟମ ଶୁକ୍ରବାର ଠାରୁ ଲାଗୁ କରାଯାଇଛି ।

ଟ୍ରଷ୍ଟ ବୋର୍ଡ ମନ୍ଦିର ଆଗରେ ଏନେଇ ଏକ ବୋର୍ଡ ମଧ୍ୟ ଲଗାଇଛି । ଯେଉଁଠି ଲେଖାଯାଇଛି କି ‘ଦର୍ଶନ ପାଇଁ ଆସୁଥିବା ଭାଇ ଓ ଭଉଣୀମାନଙ୍କୁ ନିବେଦନ ଯେ ‘ଛୋଟ କପଡ଼ାରେ ଆସୁଥିବା ଲୋକଙ୍କୁ ମନ୍ଦିର ପ୍ରବେଶ ମିଳିବ ନାହିଁ । ତେଣୁ ପାରମ୍ପରିକ ପୋଷାକ ପିନ୍ଧି କରି ଆସନ୍ତୁ ।’ ମାସ୍କ ପିନ୍ଧି କରି ଆସିବା ଜରୁରୀ ବୋଲି ଏଥିରେ ଲେଖାଯାଇଛି ।

ଏହି ମନ୍ଦିର ଗୁଜରାଟର ଆରାବଳୀ ଜିଲ୍ଲାରେ ଅବସ୍ଥିତ । ଏଠାରେ ଶାମଲାଲଜୀ ବିଷ୍ଣୁ ପୂଜା ପାଆନ୍ତି । ଏହି ମନ୍ଦିର ପ୍ରାୟ ୨୦୦୦ ବର୍ଷ ପୁରୁଣା । ଏହି ମନ୍ଦିର ମେଶବୋ ନଦୀ କୂଳରେ ଅବସ୍ଥିତ । ଏଠାରେ ଶ୍ରୀ ବିଷ୍ଣୁ ୮ମ ଅବତାରରେ ଶ୍ୟାମଲାଲ ରୂପରେ ପୂଜା ପାଉଛନ୍ତି ।

ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ‘ ମହିଳାଙ୍କୁ ଆଣ୍ଠୁ ପାଖରେ ଫଟା ଜିନ୍ସ ପିନ୍ଧିଥିବା ଦେଖିଲେ ମୁଁ ହଇରାଣ ହୁଏ । ଏଭଳି ପୋଷାକ ପିନ୍ଧୁଥିବା ମହିଳା ତାଙ୍କ ପିଲାକୁ କି ସଂସ୍କାର ଦେବେ ବୋଲି ଦେଇଥିବା ଟିପ୍ପଣୀ କୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.