ନୂଆ ସହଯୋଗୀଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ଗ୍ରୀନ୍‌ ସିଗନାଲ, ପ୍ରଧାନମନ୍ତ୍ରୀ ପଦ ନ ମିଳିଲେ ବି ଦଳକୁ ଅସୁବିଧା ନାହିଁ

କେଉଁ ଦଳକୁ ବହୁମତ ମିଳିବ କି। ଏ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର। ସେପଟେ ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜ ସହଯୋଗୀ ଧରି ନୂଆ ସାଥି ଖୋଜୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ, ଆଗୁଆ ନିଜ ସ୍ଥିତି ସ୍ପଷ୍ଟ କରିଛି। ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଏଥର ମୋଦି ଦ୍ୱିତୀୟ ଥର ପ୍ରଧାମନ୍ତ୍ରୀ ହେବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି। ଯେଉଁ ସରକାର ହେବ ତାହା ଅଣ ଏନଡିଏ ଓ ଅଣ ବିଜେପି ସରକାର ହେବ। ଯଦି ସହମତି ହେବ ତେବେ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ହେବ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ନ ମିଳିଲେ ବି ଦଳର କୌଣସି ଅସୁବିଧା ନାହିଁ। ଅଣ କଂଗ୍ରେସ ଦଳଗୁଡିକ ମଧ୍ୟରେ ଯେଉଁ ସହମତି ହେବ ଦଳ ତାକୁ ସମର୍ଥନ କରିବ।

ଏଥର ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶରେ ମେଣ୍ଟ କରି ପାରିଲା ନାହିଁ। ମାୟା-ଅଖିଲେଶ ସାଥି ହୋଇ ରାହୁଲଙ୍କୁ ଏକା ଛାଡି ଦେଲେ। କଂଗ୍ରେସ ପାଇଁ ମୈଦାନକୁ ଓହ୍ଲାଇଥିଲେ ପ୍ରିୟଙ୍କା। ସେହିପରି ଆନ୍ଧ୍ରରେ ଟିଡିପି ସହ କଂଗ୍ରେସ ମେଣ୍ଟ କରି ନାହିଁ। ଦିଲ୍ଲୀରେ ମଧ୍ୟ ଆପ୍‌ ସହ ସମ୍ପର୍କ ହୋଇ ପାରିଲା ନାହିଁ। ତୃମମୂଳ କଂଗ୍ରେସର କଂଗ୍ରେସ ସହ ମତାନ୍ତର ରହିଛି। ଅର୍ଥାତ ମୋଦି ବିରୋଧୀ, ମହାମେଣ୍ଟ କରିବାରେ ବିଫଳ ହେଲେ। ସେପଟେ ଟିଆରଏସ୍‌ ଏକ ଫେଡେରାଲ ଫ୍ରଣ୍ଟ ପାଇଁ ଉଦ୍ୟମ କରୁଛିି। ଏଭଳି ସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ବୟାନ, କଂଗ୍ରେସକୁ ପ୍ରଧାନମନ୍ତ୍ରୀ ପଦ ନ ମିଳିଲେ ବି କୌଣସି ଅସୁବିଧା ନାହିଁ, ବିଜେପି ବିରୋଧୀ ଅଣ କଂଗ୍ରେସ ଦଳଗୁଡିକ ଉତ୍ସାହିତ କରିବା ଅନୁମାନ କରାଯାଉଛି।

ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ, କଂଗ୍ରେସ ଏପରି ଏକ ଗେମ୍‌ ପ୍ଲାନ ପ୍ରସ୍ତୁତ କରିଥିଲା। ଗଣତି ଚାଲିଥିବା ବେଳେ ହିଁ, କଂଗ୍ରେସ ଜେଡିଏସ୍‌କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲା। ଅଲଗା ଅଲାଗ ନିର୍ବାଚନ ଲଢିଥିବା କଂଗ୍ରେସ-ଜେଡିଏସ୍‌ ମେଣ୍ଟ ହେଲା। ଫଳରେ ନିର୍ବାଚନରେ ବିଜେପି ଅଧିକ ଆସନ ପାଇ ମଧ୍ୟ ସରକାର ଗଠନ କରି ପାରିଲା ନାହିଁ। ଏବେ ଚର୍ଚ୍ଚା ହେଉଛି କୌଣସି ଦଳକୁ ବହୁମତ ମିଳିବନି। ତେଣୁ କଂଗ୍ରେସ,ବିଜେପିକୁ ପ୍ରତିହତ କରିବାକୁ ଆଗୁଆ ପ୍ରସ୍ତୁତ ହେଉଥିବା ଜଣା ପଡୁଛିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.