Below header

ମ୍ୟୁଜିକ୍‌ ଭିଡିଓ ଶୁଟିଂ ନାଁରେ ଗାୟିକାଙ୍କୁ ବୀଭତ୍ସ ହତ୍ୟା! ଓଭରବ୍ରିଜ୍‌ ମାଟି ତଳୁ ମିଳିଲା କ୍ଷତବିକ୍ଷତ ମୃତଦେହ

ମ୍ୟୁଜିକ୍‌ ଭିଡିଓ ଶୁଟିଂ ନାଁରେ ଜଣେ ହରିୟାଣୀ ଗାୟିକାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଏକ ଓଭରବ୍ରିଜ୍‌ ମାଟି ତଳେ ପୋତି ଦିଆଯାଇଛି। ମୃତା ଗାୟିକା ହେଲେ ସଙ୍ଗୀତା ଓରଫ୍‌ ଦିବ୍ୟା ଇନ୍ଦୋରା। ଦିବ୍ୟା ମେ’ ୧୧ରୁ ଘରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କ ନିଖୋଜ ସମ୍ପର୍କରେ ଗତ ୧୪ ତାରିଖରେ ଦିଲ୍ଲୀର ଜାଫରପୁର କଲାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୋଗ ମୁତାବକ, ଆଲ୍‌ବମ୍‌ ଶୁଟିଂ ପାଇଁ ଦିବ୍ୟାଙ୍କର ୧୧ ତାରିଖରେ ଭିଓ୍ଵାନୀ ଯିବାର ଥିଲା। ଏଥିପାଇଁ ଅଭିଯୁକ୍ତ ରୋହିତ ଓ ତାଙ୍କର ଜଣେ ସାଙ୍ଗ ଦିବ୍ୟାଙ୍କୁ ସାଥୀରେ ନେଇ ଯାଇଥିଲେ। ହେଲେ ସେବେଠାରୁ ଅନେକ ଦିନ ପର୍ଯ୍ୟନ୍ତ ଦିବ୍ୟାଙ୍କର କୌଣସି ଖୋଜ୍‌ ଖବର ମିଳି ନ ଥିଲା। ଏପରି କି, ତାଙ୍କ ଫୋନ୍‌ ମଧ୍ୟ ସୁଇଚ୍‌ଡ ଅଫ୍‌ ଦେଖାଇଥିଲା। କେଉଁଠାରୁ କିଛି ଖବର ନ ମିଳିବା ପରେ ପରିବାର ଲୋକେ ହତାଶ ହୋଇ ଥାନାରେ ଝିଅର ଅପହରଣ ଅଭିଯୋଗ କରିଥିଲେ।

ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତ ଶନିବାର ଦିନ ଦିବ୍ୟାଙ୍କ ଫୋନ୍‌ ଅନ୍‌ ହେବା ପରେ ପୋଲିସ ଫୋନ୍‌ର ଲୋକେସନ ଜାଣି ସେଠାରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତ ରୋହିତଙ୍କୁ କାବୁ କରି ନେଇଥିଲା। ତାଙ୍କୁ ପଚରାଉଚରା ପରେ ସେ ଦିବ୍ୟାଙ୍କୁ ହତ୍ୟା କରିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଥିଲେ। ରୋହିତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୋଲିସ ହରିୟାଣାର ମହମ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ପରେ ମହମ ପୋଲିସ ଭୈରୋ ଭୈଣୀ ଗାଁ ନିକଟସ୍ଥ ଫ୍ଲାଏଓଭର ବ୍ରିଜ୍‌ ତଳୁ ଏକ କ୍ଷତବିକ୍ଷତ ମୃତଦେହ ଜବତ କରିଥିଲା। ମୃତଦେହ ଚିହ୍ନଟ ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତେବେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ରୋହିତ, ଦିବ୍ୟାଙ୍କ ସାଙ୍ଗ ଥିଲେ। ତାଙ୍କ କହିବା ଅନୁସାରେ, ଦିବ୍ୟା ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ, ଯେଉଁ କାରଣରୁ ସେ ନିଜ ସାଙ୍ଗ ସହ ମିଶି ଦିବ୍ୟାଙ୍କୁ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାରେ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି। ଶବ ବ୍ୟବଚ୍ଛେଦ ପରେ ମାମଲା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯିବ। ପ୍ରାଥମିକ ତଦନ୍ତରୁ ଏହା ଗଳା ଚିପି ହତ୍ୟା ଘଟଣା ବୋଲି ଜଣାପଡ଼ିଛି। ଦୁଇ ଅଭିଯୁକ୍ତ ଅନେକ ଦିନରୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.