ଘର ବାହାରେ ଶୋଇଥିବା ପରିବାର ଉପରେ ଛିଣ୍ଡିପଡ଼ିଲା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର, ମା’ ସହ ୨ ପୁଅଝିଅଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ପ୍ରବଳ ଗରମ ହେତୁ ଏଠାରେ ଘର ବାହାରେ ଖୋଲାରେ ଶୋଇଥିବା ଏକ ପରିବାର ଉପରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା।

ଉତ୍ତର ପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ପ୍ରବଳ ଗରମ ହେତୁ ଏଠାରେ ଘର ବାହାରେ ଖୋଲାରେ ଶୋଇଥିବା ଏକ ପରିବାର ଉପରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ଫଳରେ ଜଣେ ମହିଳା ସହ ତାଙ୍କର ଦୁଇ ପୁଅଝିଅଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବାପା ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ମୁତାବକ, ଏହି ଦୁର୍ଘଟଣା ବନ୍ଦାୟୁର ବିସୌଲି ଅଞ୍ଚଳରେ ଘଟିଛି। ଗୁରୁବାର ରାତିରେ ଅତ୍ୟଧିକ ଗରମ ହେତୁ ସାଜିଦ (୫୭), ତାଙ୍କ ପତ୍ନୀ ଇଶରତ୍‌ ବି (୫୫), ପୁଅ ଅଲୁ (୨୫), ଝିଅ ନିକ୍କି (୨୨), ସାଜିଦଙ୍କ ଭାଇ ଅସଲମ (୫୫) ଓ ସାଜିଦଙ୍କ ନାତି ଆନିଭ (୧୨) ଘର ବାହାରେ ରାସ୍ତା କଡ଼ରେ ଶୋଇଥିଲେ। ସମସ୍ତେ ଶୋଇଥିବା ସମୟରେ ଘର ସମ୍ମୁଖରେ ଯାଇଥିବା ଏକ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ହଠାତ୍‌ ସେମାନଙ୍କ ଉପରେ ଛିଣ୍ଡି ପଡ଼ିଥିଲା। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା।

ସ୍ଥାନୀୟ ଲୋକେ କହିଛନ୍ତି ଯେ ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଇଶରତ୍‌ ବି, ପୁଅ ଅଲୁ ଓ ଝିଅ ନିକ୍କିଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.