ଗୁଜରାଟରେ ବନ୍ୟା ପ୍ରଳୟ: ନଭସାରୀରେ ଭାସିଗଲା ଶହ ଶହ ଗ୍ୟାସ୍‌ ସିଲିଣ୍ଡର; ଭିଡିଓ ଭାଇରାଲ

ନଭସାରୀ ଅଞ୍ଚଳରୁ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବନ୍ୟା ପାଣିରେ ଶହ ଶହ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ଭାସି ଯାଉଥିବା ଦେଖିବାକୁ ମିଳୁଛି।

ଗୁଜରାଟରେ ପ୍ରବଳ ବର୍ଷା ମଧ୍ୟରେ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଏବେ ନଭସାରୀ ଅଞ୍ଚଳରୁ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବନ୍ୟା ପାଣିରେ ଶହ ଶହ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ଭାସି ଯାଉଥିବା ଦେଖିବାକୁ ମିଳୁଛି।

ସୂଚନା ମୁତାବକ, ପ୍ରବଳ ବର୍ଷାରେ ଗୁଜରାଟର ନଭସାରୀ ଓ ଜୁନାଗଡ଼ ଅଞ୍ଚଳ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ସରକାରୀ ଆକଳନ ଅନୁସାରେ, ଜିଲ୍ଲାରେ ଏବେ ସୁଦ୍ଧା ୯୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଏହା ପୂର୍ବରୁ ମଧ୍ୟ ଜୁନାଗଡ଼ରୁ ଅନେକ ଭିଡିଓ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଏକ ଭିଡିଓରେ ଦେଖାଯାଇଥିଲା କି, ବନ୍ୟା ପାଣିରେ ଗୋରୁ, ମଇଁଷି ଏବଂ କାର୍‌ଗୁଡ଼ିକ ଭାସିଯାଉଛି। ଲୋକମାନେ ପାଣି ଭିତରେ ପଶି ଯାଉଛନ୍ତି। ଏହି ବନ୍ୟାରେ ସ୍ୱେଚ୍ଛାସେବୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ପାହାଡ଼ ଉପରେ ପ୍ରବଳ ବର୍ଷା ପରେ ଗୁଜରାଟ ଏବଂ ମହାରାଷ୍ଟ୍ରରେ ଜଳ ପ୍ରଳୟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଅନେକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ ରାଜ୍ୟକୁ ସତର୍କ ରହିବାକୁ ଚେତାବନୀ ଜାରି କରିଛି।