କ୍ଷତିପୂରଣ ରାଶିକୁ କମାଇବା ପାଇଁ ସ୍ୱାମୀ ଆପଣେଇଲେ ଅଭିନବ ଉପାୟ । ଶେଷରେ ଦୋଷୀ ସାବ୍ୟସ୍ତ ହୋଇ ଗଲେ ଜେଲ । ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ସ୍ୱାମୀ- ସ୍ତ୍ରୀଙ୍କ ଭିତରେ ଛାଡ଼ପତ୍ର କେସ ଚାଲିଥିଲା । ଛାଡପତ୍ର ପରେ ଯେମିତି ଅଧିକ କ୍ଷତି ପୂରଣ ଦେବାକୁ ନ ପଡେ ସେନେଇ ବ୍ୟାଙ୍କ ଅଧିକାରୀ ସ୍ୱାମୀ ଜଣଙ୍କ ଶିକ୍ଷୟତ୍ରୀ ପତ୍ନୀଙ୍କ ଇନକମ ଟ୍ୟାକ୍ସ ଆଇଡି ପାସୱାର୍ଡ଼କୁ ହ୍ୟାକ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହାର ଆଲର୍ଟ ମେସେଜ ପତ୍ନୀଙ୍କ ମୋବାଇଲକୁ ଆସିବା ପରେ ପତ୍ନୀ ଏକ ଏଫଆଇଆର ଦାୟର କରିଛନ୍ତି । ଏହାର ଯାଞ୍ଚ ଦାୟିତ୍ୱ ଏସ୍ଟିଏଫର ସାଇବର ସେଲକୁ ଦିଆଯାଇଥିଲା । ସାଇବର ସେଲ ଟିମ ଦୋଷୀ ସ୍ୱାମୀଙ୍କ ବିରୋଧରେ ପ୍ରମାଣ ଏକାଠି କରିବା ପରେ ତାଙ୍କୁ ପୋଲିସ ତରଫରୁ ଗିରଫ କରାଯାଇଥିବା ଜଣାଯାଇଛି ।
ବିଭିନ୍ନ ସୂତ୍ରରୁ ଜଣାଯାଇଛିକି, ବ୍ୟାଙ୍କ ଅଧିକାରୀ ଅକ୍ଷୟ ବିଜୟଙ୍କର ପତ୍ନୀଙ୍କ ସହ ଛାଡପତ୍ର ମାମଲା ଚାଲିଛି । ଏହି ସମୟରେ ଅକ୍ଷୟଙ୍କୁ ତାଙ୍କର ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ ଯଦି ସେ ସ୍ତ୍ରୀଙ୍କ ଇନକମ ଟାକ୍ସ ରିଟର୍ନସ ନିଜ ଠାରୁ ଅଧିକ ବୋଲି ପ୍ରମାଣ କରିପାରନ୍ତି ତେବେ ତାଙ୍କୁ କମ କ୍ଷତିପୂରଣ ଦେବାକୁ ପଡିବ । ଏହି କାରଣରୁ ହିଁ ସେ ପତ୍ନୀଙ୍କ ଆଇଟିଆର ଆଇଡିକୁ ବଦଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାସ୍ୱାର୍ଡ ବଦଳାଇବାକୁ ଚେଷ୍ଟା କରିବା କ୍ଷଣି ପତ୍ନୀଙ୍କ ଫୋନକୁ ଆଲର୍ଟ ଯାଇଥିଲା । ପୋଲିସ ଅନୁଯାୟୀ ଦୁହିଁଙ୍କ ଭିତରେ ଛାଡପତ୍ର ମାମଲା ଚଳିତ ବର୍ଷ ମାର୍ଚ୍ଚ ମାସରେ ଦାୟର ହୋଇଥିଲା ।
ସାଇବର କ୍ରାଇମ ସେଲ ଏସପି ତ୍ରିବେଣୀ ସିଂହଙ୍କ ଅନୁଯାୟୀ ଜଣଙ୍କ ବ୍ୟକ୍ତିଗତ ତଥ୍ୟକୁ ନିଜ ଛଡା ପରିବାରର ଅନ୍ୟକୌଣସି ସଦସ୍ୟ ବ୍ୟବହାର କରିପାରନ୍ତି ନାହିଁ । ଏହାର ଅବାଧ୍ୟ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବେଆଇନ । ଏମିତି କରୁଥିବା ଅପରାଧୀଙ୍କୁ କଠିନରୁ କଠିନ ତର ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଏମିତିକି ସ୍ୱାମୀ ମଧ୍ୟ ସ୍ତ୍ରୀଙ୍କ ଆକାଉଣ୍ଟକୁ ବ୍ୟବହାର କରିପାରନ୍ତି ନାହିଁ ।