ଗାଡି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଭାଗ ଚେତାବନୀ: ଘନ କୁହୁଡିରେ ଦେଖାଯାଉନି ରାସ୍ତାଘାଟ, ବିଭିନ୍ନ ସ୍ଥାନରେ ଦୁର୍ଘଟଣା

ଉତ୍ତର ଭାରତର ଅନେକ ଅଞ୍ଚଳରେ ବୁଧବାର ସକାଳେ ରାସ୍ତାଘାଟ ଘନକୁହୁଡ଼ି ଦ୍ବାରା ଆଚ୍ଛାଦିତ ରହିଥିଲା। ଗତ କିଛିଦିନ ହେଲାଣି ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନେକ ରାଜ୍ୟରେ ସକାଳୁ କୁହୁଡି ଲାଗି ରହିଛି।କୁହୁଡ଼ି ପାଇଁ ଅଳ୍ପ ଦୃଶ୍ୟମାନ ଯୋଗୁଁ ଅନେକ ଜାଗାରେ ଦୁର୍ଘଟଣା ବି ଘଟିଛି। ତେଣୁ ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରିବାକୁ ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ନଏଡ଼ାରେ ଏକ ବସ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ହରିୟାଣା ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଓ ଗୃହମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଉତ୍ତରପ୍ରଦେଶରେ ଶୀତର ପ୍ରକୋପ ଅଧିକ ରହିଥିବା ଯୋଗୁଁ କୁହୁଡି ମଧ୍ୟପଡୁଛି । ଫଳରେ ଦୁର୍ଘଟଣା ଘଟିଛି । ଉତ୍ତର ପ୍ରଦେଶ ଏବଂ ହରିୟାଣାର ଅନେକ ସ୍ଥାନରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୪୦ ଜଣ ଲୋକ ଆହତ ହୋଇଛନ୍ତି।

ସେହିପରି ଦିଲ୍ଲୀର ପାଲମଠାରେ ଦୃଶ୍ୟମାନତା ମାତ୍ର ମାତ୍ର ୨୫ ମିଟର ରହିଥିଲା। ସେହିପରି ସଫଦରଜଙ୍ଗ ଅଞ୍ଚଳରେ ଏହା ଥିଲା ୫୦ ମିଟର। ଅମୃତସର, ଗଙ୍ଗାନଗର, ପଟିଆଲା ଓ ଲକ୍ଷ୍ନୌଠାରେ ୨୫ ମିଟର ଯାଏ ଦୃଶ୍ୟ ହେଉଥିବା ବେଳେ ଭଟିଣ୍ଡାରେ ଏହା ଆହୁରି କମି ଶୂନ୍ୟ ମିଟର ହୋଇଥିଲା।

ପୋଲିସ କହିବା ମୁତାବକ, ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସ େଓ୍ଵରେ ଘନ କୁହୁଡି ଯୋଗୁଁ କମ୍‌ ଦୃଶ୍ୟମାନ ଯୋଗୁଁ ବସ୍‌ ଏବଂ ଟ୍ରକ ଧକ୍କା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ସକାଳ ୬ଟା ମଧ୍ୟରେ ମିନି ଟ୍ରକ ଏବଂ ଟାୟର ଫାଟିବା ଯୋଗୁଁ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର । ୬୦ ଯାତ୍ରୀଙ୍କୁ ନେଇ ଆଗ୍ରାରୁ ନଏଡ଼ା ଯାଉଥିବା ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଜଣେ ଲୋକର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, କୁହୁଡ଼ି ଯୋଗୁ ହରିୟାଣା ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ ମଙ୍ଗଳବାର ସକାଳେ ଏକ ପୋଲିସ ଗାଡ଼ି ସହ ଧକ୍କା ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଗାଡ଼ି ଏଥିରୁ ଅଳ୍ପକେ ରକ୍ଷା ପାଇଥିଲା। ଅନ୍ୟ ଏକ ଘଟଣାରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ଗାଡ଼ି ମଧ୍ୟ ଅମ୍ବାଲା କ୍ୟାଣ୍ଟନମେଣ୍ଟରୁ ଗୁରୁଗ୍ରାମ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଘନ କୁହୁଡ଼ି ଯୋଗୁ ଆଜି ଓ ଆସନ୍ତାକାଲି ପାଇଁ ଚାରୋଟି ରାଜ୍ୟ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତରପ୍ରଦେଶରେ ରେଡ୍ ଆଲର୍ଟ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.