ପୋଲିସ ଆଖିରେ ଧୂଳିଦେଇ ଫେରାର ହୋଇଗଲେ ଇମ୍ରାନ୍‌ ଖାନ

ପୋଲିସକୁ ଚକମା ଦେଇ ଫେରାର ହୋଇଗଲେ ଇମ୍ରାନ ଖାନ। ଗିରଫ କରିବାକୁ ଯାଇ ଖାଲିହାତରେ ଫେରିଲା ପୋଲିସ । ଗିରଫ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଇସଲାମବାଦରୁ ଯାଇଥିଲା ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଫେରାର ! ପୋଲିସକୁ ଚକମା ଦେଇ ଛୁ ମାରିଲେ ଇମ୍ରାନ। ଇମ୍ରାନଙ୍କୁ ଗିରଫ କରିବାକୁ ଯାଇ ଖାଲି ହାତରେ ଫେରିଛି ପୋଲିସ । ଆରେଷ୍ଟ ଓ୍ଵାରେଣ୍ଟ ସହ ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ଗତକାଲି ପହଞ୍ଚିଥିଲା ପୋଲିସ ।

ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ ଇସଲାମାବାଦରୁ ଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ହାତରେ ଧରି ପୋଲିସ ପଶିଥିଲା । ଇମ୍ରାନଙ୍କ ବାସଭବନକୁ ତାଙ୍କର ଶହଶହ ସମର୍ଥକ ଘେରି ରହିଥିଲେ । ଜୋରଦାର ପ୍ରତିବାଦ କରିଥିଲେ । ତଥାପି ପୋଲିସ ଅଧିକାରୀ ଘରେ ପଶି ଇମ୍ରାନଙ୍କୁ ଖୋଜିଥିଲେ । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ଚମ୍ପଟ ମାରିଥିଲେ ଇମ୍ରାନ ଖାନ୍ । ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ସେ କୁଆଡ଼େ ପଳାଇଯାଇଥିବା କୁହାଯାଉଛି ।

ଗିଫ୍ଟ ମାମଲା ବା ତୋଷଖାନା ଦୁର୍ନୀତି ମାମଲାରେ ଫେବ୍ରୁଆରୀ ୨୮ରେ ଇମ୍ରାନ କୋର୍ଟରେ ହାଜର ହେବାର ଥିଲା । ହାଜର ନହେବାରୁ ତାଙ୍କ ବିରୋଧରେ ଜାରି ହୋଇଥିଲା ଗିରଫ ପରଓ୍ଵାନା ।

ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବ ଦେଶ ଗସ୍ତ କରିଥିବା ବେଳେ ତାଙ୍କୁ ଅନେକ ଦାମୀ ପୁରସ୍କାର ମିଳିଥିଲା। ଏହାସହ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଏହାକୁ ଇମ୍ରାନ ଖାନ୍ ତୋଷଖାନାରେ ଜମା କରିଥିଲେ । କିଛିଦିନ ପରେ ଇମ୍ରାନ ଖାନ୍ ତୋଷଖାନାରୁ ଏହି ଉପହାରଗୁଡିକୁ ଶସ୍ତା ଦାମରେ କିଣି ତାକୁ ପୁଣି ଉଚ୍ଚା ଦାମରେ ବିକ୍ରି କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.