‘ଆଲ୍ଲା ମୋତେ ନୂଆ ଜୀବନ ଦେଇ ଦେଲେ…’! ଗୁଳି ବାଜିବା ପରେ ଏମିତି କହିଲେ ଇମ୍ରାନ ଖାନ; ଆକ୍ରମଣରେ ଜଣଙ୍କର ମୃତ୍ୟୁ

ପାକିସ୍ତାନର ପଞ୍ଜାବ ରାଜ୍ୟରେ ପିଟିଆଇ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଗୁଳିମାଡ଼ ହୋଇଛି। ରାଲି ଚାଲିଥିବା ବେଳେ ଇମ୍ରାନଙ୍କ ଉପରକୁ ମରଣାନ୍ତକ ଭାବେ ଫାୟାରିଂ କରାଯାଇଛି। ଏଥିରେ ଇମ୍ରାନଙ୍କ ଦେହରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି। ଘଟଣାର ତୁରନ୍ତ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳି ଇମ୍ରାନ ଖାନଙ୍କ ଗୋଡ଼ରେ ବାଜିଛି। ତେବେ ହସ୍ପିଟାଲରେ ପ୍ରାଥମିକ ଉପଚାର ପରେ ଇମ୍ରାନ ଖାନ ଏବେ ବିପଦମୁକ୍ତ ଥିବା କୁହାଯାଉଛି।

ଇମ୍ରାନ ଖାନଙ୍କ ବ୍ୟତୀତ ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ଘଟିଥିବା ମଧ୍ୟ ଖବର ଆସୁଛି। ଯେଉଁ ସମୟରେ ଇମ୍ରାନଙ୍କ ଉପରେ ଆକ୍ରମଣ ହୋଇଥିଲା, ସେହି ସମୟରେ ପିଟିଆଇ ନେତା ଫଓ୍ଵାଦ ଚୌଧୁରୀ ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ।

ଏହି ଆକ୍ରମଣ ପରେ ଇମ୍ରାନ ଖାନଙ୍କ ତରଫରୁ ପ୍ରଥମ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଇମ୍ରାନ କହିଛନ୍ତି, ଆଲ୍ଲା ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ତାଙ୍କୁ ଦ୍ୱିତୀୟ ଜୀବନ ମିଳିଛି। ସେମାନେ ପୁଣିଥରେ ଫେରିବେ ଏବଂ ନିଜ ଲଢ଼େଇ ଜାରି ରଖିବେ। ଗୁଳି ବାଜିବା ପରେ ବି ଇମ୍ରାନ ଖାନ ହସ୍ପିଟାଲ ଯିବା ପୂର୍ବରୁ ଲୋକଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ। ସେହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଆହତ ହେବା ସତ୍ତ୍ୱେ ଇମ୍ରାନ ଖାନ ନିଜ ଅନ୍ଦାଜରେ ହାତ ହଲାଇ ଲୋକଙ୍କୁ ଅଭିବାଦନ କରୁଥିବାର ଦେଖାଯାଉଛି।

ପିଟିଆଇ ନେତା ଅସଦ ଉମର ଆକ୍ରମଣକୁ ନେଇ ଦାବି କରିଛନ୍ତି ଯେ ଆକ୍ରମଣକାରୀଙ୍କ ପାଖରେ ଅଟୋମେଟିକ୍‌ ଅସ୍ତ୍ର ଥିଲା। ଜଣେ ବ୍ୟକ୍ତି ଅଟୋମେଟିକ୍‌ ଅସ୍ତ୍ରରେ ଖୋଲାରେ ଫାୟାରିଂ କରିଥିଲେ। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.