ଅମାନବିକତା ! ଏମିତି ଦଣ୍ଡ ଯେ ସମ୍ପର୍କୀୟଙ୍କୁ କାନ୍ଧରେ ବସାଇ ୩ କିମି ଚାଲିଲେ ମହିଳା, ମଝିରେ ମଝିରେ ବେତରେ ପିଟୁଥିଲେ ଗ୍ରାମବାସୀ

ମଧ୍ୟ ପ୍ରଦେଶର ଗୁନା ଜିଲାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ବାଧ୍ୟ କରାଯାଇଛି କି, ସେ ନିଜର ଜଣେ ସମ୍ପର୍କୀୟ ପୁରୁଷଙ୍କୁ କାନ୍ଧରେ ବସାଇ ଗାଁ ସାରା ବୁଲାଇବେ। ଆଶ୍ଚର୍ଯ୍ୟର କଥା, ମହିଳା ଜଣକ ସମ୍ପର୍କୀୟଙ୍କୁ କାନ୍ଧରେ ବସାଇ ଗାଁ ଦାଣ୍ଡରେ ଚାଲୁଥିବା ବେଳେ ଗାଁର କିଛି ଲୋକ ତାଙ୍କୁ ବେତରେ ପିଟି ଚାଲିଥିଲେ। ଏହି ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହୋଇଯାଇଛି।

ପୋଲିସ ମହିଳାଙ୍କ ସ୍ୱାମୀଙ୍କ ସମେତ କିଛି ଲୋକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି। ଏଥିରେ କେତେଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। କୁହାଯାଉଛି କି, ମହିଳାଙ୍କୁ ଏହିଭଳି ଅବସ୍ଥାରେ ୩ କିଲୋମିଟର ପର୍ଯ୍ୟନ୍ତ ଚଲା ଯାଇଥିଲା। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ମହିଳା ସହମତି ଭିତ୍ତିରେ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ। ଏହାପରଠୁ ସେ ପ୍ରାୟ ୧ ମାସ ହେବ ଅନ୍ୟ ଜଣେ ଯୁବକଙ୍କ ସହିତ ରହି ଆସୁଥିଲେ। ଏହାରି ଭିତରେ ଗତ ୯ ତାରିଖରେ ମହିଳାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଯାଇଥିଲେ।

ଯେତେବେଳେ ଜୋର୍‌ ଜବରଦସ୍ତ ମହିଳାଙ୍କୁ ଶାଶୁଘରକୁ ନିଆଯାଇଥିଲା, ସେଠି ଅନେକ ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ତାଙ୍କ ସହିତ ମାରପିଟ କରାଯାଇଥିଲା ଏବଂ ସମ୍ପର୍କୀୟ ପୁରୁଷଙ୍କୁ କାନ୍ଧରେ ବସାଇ ଗାଁ ସାରା ବୁଲିବାକୁ କୁହାଯାଇଥିଲା। ୩ କିଲୋମିଟର ପର୍ଯ୍ୟନ୍ତ ମହିଳା ଜଣକ ଏଭଳି କରିଥିଲେ। କୁହାଯାଉଛି, ମହିଳା ଜଣକ ଯେଉଁ ବ୍ୟକ୍ତିଙ୍କ ସହିତ ରହୁଥିଲେ, ସେ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ତାଙ୍କୁ ସେଠାରୁ ନିଆଯାଇଥିଲା। ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓକୁ ଦେଖି ଲୋକେ ଖୁବ୍‌ ରାଗି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.