ଭାରତର ଏୟାରସ୍ପେସ୍‌ ଉପଯୋଗ ପାଇଁ ପାକିସ୍ତାନକୁ ଅନୁମତି ଦେଇଦେଲେ ପ୍ରଧାନମନ୍ତ୍ରୀ ମୋଦି, ୨ ବର୍ଷ ପୂର୍ବେ ଅନୁମତି ପାଇ ନ ଥିଲା ଭାରତ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ନିଜ ଏୟାରସ୍ପେସ୍‌ ଉପଯୋଗ ପାଇଁ ଅନୁମତି ଦେଇଛି। ଇମ୍ରାନ ଖାନ ଆଗାମୀ ସପ୍ତାହ ମଙ୍ଗଳବାର ଦିନ ନିଜ ମନ୍ତ୍ରୀମଣ୍ଡଳୀୟ ସହଯୋଗୀ ଏବଂ ଉଚ୍ଚ ସ୍ତରର ବାଣିଜ୍ୟିକ ପ୍ରତିନିଧିମଣ୍ଡଳ ସହିତ ଦୁଇ ଦିନ ଲାଗି ଶ୍ରୀଲଙ୍କା ଯାତ୍ରାରେ ଯାଉଛନ୍ତି। ଏଥିପାଇଁ ତାଙ୍କୁ ଭାରତୀୟ ଏୟାରସ୍ପେସ୍‌ ଉପଯୋଗର ଆବଶ୍ୟକତା ରହିବ।

କହି ରଖୁଛୁ, ପୂର୍ବରୁ ୨୦୧୯ରେ ପାକିସ୍ତାନ, ଭାରତ ଉପରେ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ନେଇ ଅଭିଯୋଗ ଆଣିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ଏବଂ ସାଉଦି ଆରବ ଯାତ୍ରା ପାଇଁ ନିଜ ଏୟାରସ୍ପେସ୍‌ ଉପଯୋଗ ଲାଗି ଅନୁମତି ଦେବାକୁ ମନା କରିଦେଇଥିଲା।

ମିଡିଆକୁ ଜାରି ବୟାନ ଅନୁସାରେ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହିତ ଇମ୍ରାନ ଖାନଙ୍କର ଦ୍ୱିପାକ୍ଷିକ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଟେକ୍ନିକ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ ସହ ଜଡ଼ିତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରାଜପକ୍ଷେଙ୍କ ଆମନ୍ତ୍ରଣରେ ଶ୍ରୀଲଙ୍କା ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.